ରାଜକୋଟ୍‌ ନାବାଳିକା ବଳାତ୍କାର ମାମଲା: ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରାଜକୋଟ୍‌,୧୭ା୧: ୭ ବର୍ଷର ବାଳିକାଙ୍କୁ ବଳାତ୍କାର କରିବା ସହ ଲୁହା ରଡ୍‌ରେ ଯୌନ ନିର୍ଯାତନା ଦେବା ମାମଲାରେ ଗୁଜରାଟ ରାଜକୋଟ୍‌ର ଏକ ଅଦାଲତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଅପରାଧର ୪୪ ଦିନ ମଧ୍ୟରେ ରାୟ ପ୍ରକାଶ ପାଇଛି।

ଅଭିଯୁକ୍ତ ମଧ୍ୟପ୍ରଦେଶ ଅଲିରାଜପୁରର ରାମସିଂ ଦୁଦ୍‌ଭା(୩୨)ଙ୍କୁ ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ଭି.ଏ. ରାଣା ଶିଶୁ ଯୌନ ନିର୍ଯାତନା ପ୍ରତିକାର ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା ଆଇନର ବିଭିନ୍ନ ଧାରାରେ ଦୋଷୀସାବ୍ୟସ୍ତ କରିଥିଲେ। ଗୁଜରାଟ ସରକାର ପ୍ରତ୍ୟେକ ଝିଅଙ୍କ ସୁରକ୍ଷା ପାଇଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ ଏବଂ ଏଭଳି ଅପରାଧକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଘଭି କହିଛନ୍ତି।

ନାବାଳିକା ଜଣକ ତାଙ୍କ ଭାଇ ସହ ଖେଳୁଥିଲାବେଳେ ଅଭିଯୁକ୍ତ ରାମସିଂ ତାଙ୍କୁ ବାଇକ୍‌ରେ ଅପହରଣ କରି ଏକ ବୁଦା ନିକଟକୁ ନେଇଯାଇ ବଳାତ୍କାର କରିଥିଲେ। ପରେ ସେ ତାଙ୍କୁ ଲୁହାରଡ୍‌ରେ ଯୌନ ନିର୍ଯାତନା ଦେଇ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ।

ଡିସେମ୍ବର ୮ରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଡିସେମ୍ବର ୧୯ରେ ଚାର୍ଜଶିଟ୍‌ ଦାଖଲ ହୋଇଥିବାବେଳେ ଜାନୁଆରୀ ୧୨ରେ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଅପରାଧ ବିରଳରୁ ବିରଳତମ ହୋଇଥିବା ବିବେଚନା କରି କୋର୍ଟ ରାମସିଂଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି।