ନୂଆଦିଲ୍ଲୀ,୧୩।୨: ଆଇପିଏଲ ୨୦୨୬ ସିଜିନ ପୂର୍ବରୁ ରାଜସ୍ଥାନ ରୟାଲ୍ସ (RR) ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲିଗ୍ର ପ୍ରଥମ ଚାମ୍ପିୟନ ଦଳ ଏଥର ସମ୍ପୂର୍ଣ୍ଣ ନୂଆ ରୂପରେ ପଡ଼ିଆକୁ ଓହ୍ଲାଇବ। ସଞ୍ଜୁ ସାମସନ ଦଳ ଛାଡ଼ିବା ପରେ ଫ୍ରାଞ୍ଚାଇଜ ପକ୍ଷରୁ ଯୁବ ଅଲରାଉଣ୍ଡର ରିୟାନ ପରାଗଙ୍କୁ ନୂଆ ଅଧିନାୟକ ଭାବେ ଘୋଷଣା କରାଯାଇଛି।
ରାଜସ୍ଥାନ ରୟାଲ୍ସ ଶୁକ୍ରବାର (୧୩ ଫେବୃଆରୀ) ନିଜର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ରିୟାନ ପରାଗଙ୍କ ନାମ ଉପରେ ମୋହର ମାରିଛି। ଆସାମର ଏହି ତାରକା ଖେଳାଳିଙ୍କୁ ଅଧିନାୟକ କରିବା ପାଇଁ ମ୍ୟାନେଜମେଣ୍ଟ ଏକ ଦୀର୍ଘ ପ୍ରକ୍ରିୟା ଦେଇ ଗତି କରିଥିଲା। ଫ୍ରାଞ୍ଚାଇଜ ମାଲିକ ମନୋଜ ବଦାଲେ ଏବଂ କ୍ରିକେଟ ଡାଇରେକ୍ଟର କୁମାର ସାଙ୍ଗାକାରା ଏକ ୧୧ ମିନିଟର ଭିଡିଓରେ କହିଛନ୍ତି ଯେ, ଅଧିନାୟକ ପଦ ପାଇଁ ୭ ଜଣ ଦାବିଦାର ଥିଲେ ଏବଂ ସମସ୍ତଙ୍କର କଠିନ ସାକ୍ଷାତକାର ନିଆଯାଇଥିଲା।
ଅଧିନାୟକ ଦୌଡ଼ରେ ରିୟାନ ପରାଗଙ୍କ ସହ ରବିନ୍ଦ୍ର ଜାଡେଜା (ଯିଏ CSK ରୁ ଟ୍ରେଡ ହୋଇ ଆସିଛନ୍ତି) ଏବଂ ଷ୍ଟାର୍ ଓପନର ଯଶସ୍ବୀ ଜୟସ୍ବାଲ ମଧ୍ୟ ଥିଲେ। ଏହାଛଡ଼ା ଧ୍ରୁବ ଜୁରେଲ, ଶିମ୍ରନ ହେଟମାୟର, ଜୋଫ୍ରା ଆର୍ଚ୍ଚର ଏବଂ ସନ୍ଦୀପ ଶର୍ମା ମଧ୍ୟ ଏହି ତାଲିକାରେ ସାମିଲ ଥିଲେ। ମାତ୍ର ରିୟାନଙ୍କ ଘରୋଇ କ୍ରିକେଟରେ ନେତୃତ୍ୱ ନେବାର ଅଭିଜ୍ଞତା ଏବଂ ଗତ ସିଜିନରେ କିଛି ମ୍ୟାଚରେ ତାଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ଚୟନ କରାଯାଇଛି।
ରିୟାନ ପରାଗ ପ୍ରକାଶ କରିଛନ୍ତି ଯେ, ସେ ଅଧିନାୟକ ହେବା ଖବର ଜାଣିବା ପରେ ସର୍ବପ୍ରଥମେ ଯଶସ୍ବୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜୟସ୍ବାଲ ମେସେଜ କରି କହିଥିଲେ, ‘ଅଭିନନ୍ଦନ ଭାଇ, ଏଥର ଆମେ ଜିତିବା।” ଏହି ବାର୍ତ୍ତା ଦଳ ମଧ୍ୟରେ ଥିବା ଏକତା ଏବଂ ଜୟସ୍ବାଲଙ୍କ ଖେଳାଳି ସୁଲଭ ମନୋଭାବକୁ ଦର୍ଶାଉଛି।
୨୦୦୮ ପରେ ରାଜସ୍ଥାନ ରୟାଲ୍ସ ଆଉ ଦ୍ୱିତୀୟ ଥର ପାଇଁ ଟ୍ରଫି ଜିତି ପାରିନାହିଁ। ଜଣେ ଯୁବ ଅଧିନାୟକଙ୍କ ନେତୃତ୍ୱରେ ଦଳ ପୁଣିଥରେ ଚାମ୍ପିୟନ ହୋଇପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।
Dharitri – Odisha’s No.1 Odia Daily