କର୍ଲାମୁଣ୍ଡା,୩୦।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର କୁଶୁର୍ଲାଠାରେ ହରଗୌରୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ‘କୁଶୁର୍ଲା କପ୍ ୨୦୨୫’ ନକ୍ ଆଉଟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି।
ଫାଇନାଲ୍ ମ୍ୟାଚ୍ ରଜାପଡ଼ା ଏବଂ ଟକର୍ଲା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେବାରୁ ଫଳାଫଳ ପାଇଁ ଟ୍ରାଇବ୍ରେକରର ସାହାଯ୍ୟ ନିଆଯାଇଥିଲା। ଟ୍ରାଇବ୍ରେକରରେ ରଜାପଡ଼ା ଦଳ ୩-୨ ଗୋଲ୍ରେ ବିଜୟୀ ହୋଇ ଚାମ୍ପିଅନ୍ ଟ୍ରଫି ହାସଲ କରିଥିଲା।
ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲାପାଳ ଡକ୍ଟର ନୃପରାଜ ସାହୁ, ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ନାରାୟଣ ନାଏକ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଏବଂ ମେରା ଯୁବ ଭାରତ କଳାହାଣ୍ଡିର ଜିଲା ସଂଯୋଜକ ପ୍ରସନ୍ନ କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟ ହରଗୌରୀ ଯୁବକ ସଂଘ ଦ୍ୱାରା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମୋ ଭାରତ’ କଳାହାଣ୍ଡି ଶାଖାର ସହାୟତାରେ ଗତ ରବିବାରଠାରୁ ଆୟୋଜିତ ହୋଇଥିଲା। ଯୁଗଳ ନାଗ ଓ ସନ୍ତୋଷ ସୁନା ପୁରସ୍କାର ବିତରଣ ସଭାକୁ ସଂଯୋଜନା କରିଥିଲେ।