ପୁନେ,୫।୭: ମହାରାଷ୍ଟ୍ର ରାଜନୀତିରେ ୨୦ ବର୍ଷ ପୂର୍ବେ ଅଲଗା ହୋଇଥିବା ଦୁଇ ଭାଇ ରାଜ ଏବଂ ଉଦ୍ଧବ ଠାକରେଙ୍କୁ ଆଜି ମରାଠୀ ପ୍ରସଙ୍ଗରେ ଏକାଠି ଦେଖିବାକୁ ମିଳିବ। ଗତ କିଛି ବର୍ଷ ମଧ୍ୟରେ ମହାରାଷ୍ଟ୍ର ଅନେକ ରାଜନୈତିକ ସମୀକରଣ ଦେଖିଛି। ଏବେ ସମସ୍ତଙ୍କ ନଜର ଏହା ଉପରେ ଯେ ଠାକରେ ଭାଇଙ୍କ ଏକାଠି ହେବା ଏକ ନୂତନ ରାଜନୈତିକ ସମୀକରଣର ଆରମ୍ଭ କରିବ ବୋଲି ଚର୍ଚ୍ଚା ହେଉଛି।
୨୦୦୬ରେ ବାଲାସାହେବ ଠାକ୍ରେଙ୍କ ଉତ୍ତରାଧିକାରକୁ ନେଇ କ୍ଷମତା ରାଜନୀତି ଦୁଇ ଭାଇଙ୍କୁ ଅଲଗା କରିଥିଲା। ଏବେ ମରାଠୀ ଭାଷାର ସୁରକ୍ଷା ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଓ ତାଙ୍କ କାକାପୁଅ ଭାଇ ରାଜ୍ ଠାକ୍ରେ ପୁଣି ଏକାଠି ହୋଇଛନ୍ତି। ସ୍କୁଲଗୁଡ଼ିକରେ ମହାରାଷ୍ଟ୍ର ସରକାର ୩ ଭାଷା ନୀତିର ପ୍ରତ୍ୟାହାର କରିଥିବାରୁ ଶନିବାର ଏହାକୁ ସେଲିବ୍ରେଟ୍ କରିବା ପାଇଁ ଉଦ୍ଧବ ଓ ରାଜ୍ ମୁମ୍ବାଇରେ ଏକ ମେଗା ରାଲିରେ ଏକାଠି ହେବେ। ଆଗକୁ ବିଏମ୍ସି ସମେତ ଅନ୍ୟ ପୌର ପରିଷଦଗୁଡ଼ିକର ନିର୍ବାଚନ ଥିବାରୁ ଦୁଇଭାଇ ‘ବିଜୟ ସମାବେଶ ’ର ଆୟୋଜନ କରୁଥିବା ଭାଜପା ସମାଲୋଚନା କରିଛି।