ଛତ୍ରପୁର,୨୯।୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଞ୍ଜାମ ଜିଲାରେ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଜିଲାରେ ହେକ୍ଟର ହେକ୍ଟର ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି l ବର୍ଷା କିଛି ପରିମାଣରେ କମି ଯାଇଥିଲେ ହେଁ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଏହି ବର୍ଷା ଏବେ ଚାଷୀଙ୍କ ପାଇଁ କାଳ ସାଜିଛି । ବର୍ଷସାରା ଅନ୍ୟାନ୍ୟ କାରଣରୁ ଚାଷୀମାନେ କ୍ଷତି ସହୁଥିଲେ । ହେଲେ ଏବେ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।
ହେକ୍ଟର ହେକ୍ଟର ଚାଷ ଜମିରେ ଧାନ ଶୋଇ ପଡ଼ିଛି। ବିଲରେ ବର୍ଷା ପାଣି ଲହରୀ ଭାଙ୍ଗୁଛି। ଅନ୍ୟପଟେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ କ୍ଷେତ ପରିଦର୍ଶନ କରି ବୁଧବାର ପ୍ରାଥମିକ ଭାବେ କ୍ଷୟକ୍ଷତିର ଆକଳନ କରିଛନ୍ତି। ଉଭୟ ବିଭାଗର ଅଧିକାରୀମାନେ ଧାନ ଫସଲ, ଜମି ଏବଂ ବିଭିନ୍ନ ପ୍ରକାର ପନିପରିବା ଚାଷ କ୍ଷେତକୁ ବୁଲି ଦେଖିଛନ୍ତି। ଜିଲାରେ ୧ଲକ୍ଷ ୮୮ ହଜାର ୩୨୩ ହେକ୍ଟର ଜମିରେ ଧାନ ଫସଲ କରାଯାଇଛି। ବର୍ତ୍ତମାନ ଧାନ କଞ୍ଚା ତଥା ଗର୍ଭ ଅବସ୍ଥା ଥିବାରୁ ୩ଦିନ ଧରି ବର୍ଷା ଯୋଗୁ ଧାନ ପୋଡା ଫାଟିଯିବାର ସମ୍ଭାବନା ରହିଛି। ଏବେ ବିଲରେ ବର୍ଷା ପାଣି ଜମି ରହିଥିବା ମଧ୍ୟ ଦେଖିବାକୁ ମିଳିଛି।
ପ୍ରାଥମିକସ୍ତରରେ କୃଷି ବିଭାଗ ଆକଳନ ଅନୁସାରେ ଜିଲାର ୧୬୦୦ ହେକ୍ଟର ଧାନ ଫସଲ ବିଲ ୩୩ ପ୍ରତିଶତ ଆଂଶିକ କ୍ଷତି ହୋଇଥିବା ଜିଲା କୃଷି ମୁଖ୍ୟ ଅଧିକାରୀ ଅଜୟ କୁମାର କର ସୂଚନା ଦେଇଛନ୍ତି। ସେହିପରି ଜିଲାର ଛତ୍ରପୁର, ଗଞ୍ଜାମ, ହିଞ୍ଜିଳିକାଟୁ, ଶେରଗଡ଼ ବ୍ଲକ ସମେତଅନ୍ୟାନ୍ୟ ବ୍ଲକ ଅଂଚଳ ରେ କଞ୍ଚା ଲଙ୍କା, ଫୁଲ କୋବି, ଟମାଟୋ ସହ ବିଭିନ୍ନ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଚାଷୀ ନେତା କହିଛନ୍ତି।
ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ମଧ୍ୟ ବର୍ଷା ଯୋଗୁ ବଡମାଧପୁର, ଭିକାରୀପଲ୍ଲୀ, ବଉଳଗାଁ, ମହାନାଦପୁର, ବିପୁଳିଙ୍ଗି ଓ ପୋଟଲାମପୁର ଆଦି ପଞ୍ଚାୟତରେ ଫସଲ ନଷ୍ଟ ହେବା ଦେଖିବାକୁ ମିଳିଛି। ଏନେଇ କୃଷି ଓ ଉଦ୍ୟାନ ବିଭାଗର ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଛତ୍ରପୁର ବ୍ଲକରେ ୮ ହଜାର ୯୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବା ବେଳେ ବୁଧବାର ପ୍ରାଥମିକ ଯାଞ୍ଚରୁ ୬୨ ହେକ୍ଟର ଧାନ ଚାଷ ଜମି ଆଂଶିକ ନଷ୍ଟ ହେବା ଜଣାପଡ଼ିଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ହେକ୍ଟର ହେକ୍ଟର କଞ୍ଚା ଲଙ୍କା, ଫୁଲ କୋବି ସହିତ ବିଭିନ୍ନ ପରିବା ଚାଷ ଆଦି ଫସଲ ହୋଇଛି। ଏହି ପରିଦର୍ଶନ ବେଳେ ଗୋଷ୍ଠୀ କୃଷି ଅଧିକାରୀ ଚୈଧୁରୀ ସନମାର୍ଗ କର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସନ୍ଦିପ କୁମାର ବଢ଼େଇ,କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ଗ୍ରାମ୍ୟ କୃଷି କର୍ମଚାରୀ ଡି ରବିନ୍ଦ୍ର କୁମାରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।