ଥୁଆମୂଳ ରାମପୁର,୮ା୭ (ଦୁର୍ଗା କୀର୍ତ୍ତି)- ସାରା ରାଜ୍ୟରେ କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବ ଥୁଆମୂଳ ରାମପୁର ବ୍ଲକରେ ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁ ବ୍ଲକ ଅଧୀନ ଓଡ୍ରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭିତରେ ପାଣି ପଶିଛି। ଏଥିଯୋଗୁ ବିଦ୍ୟାଳୟ ପରିସର କାଦୁଅ ପଚପଚ ହୋଇପଡିଥିବାବେଳେ ପାଠପଢା କେତେକାଂଶରେ ବ୍ୟାହତ ହୋଇଛି। ଡ୍ରେନ୍ ବ୍ୟବସ୍ଥା ନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି। ୧୯୯୯ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୮ ଛାତ୍ରୀଛାତ୍ର ଥିବାବେଳେ ୨ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈବଲ୍ୟ ନାଏକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତୁମେଶ୍ୱର ନାଏକଙ୍କ ସମେତ ଅଭିଭାବକ ଏହି ବିଦ୍ୟାଳୟ ଦେଇ ଯାଇଥିବା ରାସ୍ତାର ଦୁଇ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସୁଫଳ ମିଳି ନାହିଁ। ଫଳରେ ବର୍ଷା ସମୟରେ ରୋଷେଇ ଗୃହ, ଶ୍ରେଣୀ ବାରଣ୍ଡାରେ ପାଣି ଜମିବା ସହ ଆବର୍ଜନା ପ୍ରବେଶ କରୁଛି। ଏହାକୁ ସଫା କରିବା ନିତିଦିନିଆ ଘଟଣା ପାଲଟୁଛି ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି। ଏହାଛଡା ମରାମତି ହେବାର ବର୍ଷେ ବିତି ନ ଥିବାବେଳେ ୨ ଶ୍ରେଣୀ ଗୃହ ଛାତରୁ ପାଣି ଝରୁଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ବିଭାଗୀୟ କର୍ତ୍ତପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗୃହ ମରାମତି ସହ ବିଦ୍ୟାଳୟ ପରିସରରେ ଡ୍ରେନ୍ ବ୍ୟବସ୍ଥା କରବାକୁ ସାଧାରଣରେ ଦାବି ହେଉଛି l