ଜବରଦଖଲ ପାଇଁ ସହରରେ ପଶିଲା ବର୍ଷା ପାଣି, ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ…

ଭଞ୍ଜନଗର,୨୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ମଧ୍ୟ ଦେଇ ଯାଇଥିବା ଜଳସମ୍ପଦ ବିଭାଗର କେନାଲ ଗୁଡ଼ିକୁ ଲୋକେ ଧିରେ ଧିରେ ଜବରଦଖଲ କରିନେଲେଣି। କେତେକ ସ୍ଥାନରେ ସରକାର ମଧ୍ୟ କେନାଲକୁ ଜବରଦଖଲ କରିଛି। ଏଥିସହ ପୁର୍ବ ପୁରୁଷରୁ ଥିବା ଅନେକ ବେସରକାରୀ ନାଳ ଗୁଡ଼ିକ ମଧ୍ୟ ଲୋକେ ଜବରଦଖଲ କରିନେଲେଣି।  ଲୋକେ ଘର କରିବା ସମୟରେ ବିନା ନକ୍ସାରେ ଘର କରୁଛନ୍ତି। ଅପରପକ୍ଷେ ବର୍ଷା ପାଣି ସମେତ ମଇଳା ପାଣି ନିଷ୍କାସନ ପାଇଁ  ନିର୍ଦ୍ଧାରିତ ସମୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାର ପରିଣାମ ବର୍ଷା ହେଲେ ଲୋକେ ଭୋଗୁଛନ୍ତି। ଆଜକୁ ଦୁଇଦିନ ହେବ ଭଞ୍ଜନଗର ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ଫଳରେ ବର୍ଷା ପାଣି ଠିକ ଭାବେ ନିଷ୍କାସିତ ହୋଇ ପାରୁନାହିଁ। ତେଣୁ ଗୁରୁବାର ସାରେ ଭଞ୍ଜନଗର ସହର ଠାକୁରାଣୀ ମନ୍ଦିର ଅଞ୍ଚଳରେ କେତେକ ଘରେ ବର୍ଷା ପାଣି ପଶିଯାଇଥିବା ଜଣାପଡିଛି । ଏଥିସହ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମସ୍ୟା ଦେଖାଦେଇଛି।
ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭଞ୍ଜନଗର ସହରତଳି ଢୁଢ଼ୁଆ ମନ୍ଦିର ନିକଟରେ ବର୍ଷା ପାଣି ଠିକ ଭାବେ ଆଜି ନିଷ୍କାସିତ ହୋଇନଥିଲା। ତେଣୁ ଲୋକେ କେନାଲ ଆଢିକୁ ଭାଙ୍ଗି ଦେଇଥିଲେ। ଫଳରେ ଜମି ଏବଂ ରାସ୍ତାରେ ଅଟକି ରହିଥିବା ପାଣି ସବୁ କେନାଲ ଦେଇ ଠାକୁରାଣୀ ମନ୍ଦିର ଆଡ଼େ ଯାଇଥିଲା। ସେଠାରେ ଏକାଧିକ ସ୍ଥାନରେ କେନାଲ ଆଢ଼ି ଭାଙ୍ଗି ଘର ଭିତରକୁ ପାଣି ପଶିଯାଇଥିଲା। ଯାହାକୁ ନେଇ ସମସ୍ୟା ଦେଖାଦେଇଛି। ଅନ୍ୟପଟେ ଜଳଭଣ୍ଡାର ଗୁଡିକରେ ପାଣି ନଥିବା ଯୋଗୁଁ କେନାଲ ଗୁଡ଼ିକରେ ପାଣି ଛଡ଼ା ଯାଇନାହିଁ। କିନ୍ତୁ ଲୋକେ ନିଜ ସୁବିଧା ପାଇଁ ଜମିର ପାଣି କେନାଲରେ ଛାଡ଼ିବା ଯୋଗୁଁ ସମସ୍ୟା ଉପୁଜିଛି। ତେଣୁ ଲୋକେ ଆଜି ଭଞ୍ଜନଗର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ସମସ୍ୟାର ସମାଧାନ କିଭଳି ହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି।
ସୂଚନା ଯୋଗ୍ୟ ଯେ ଶ୍ରାବଣ ମାସରେ ମଧ୍ୟ ଜଳଭଣ୍ଡାର ଗୁଡିକ ଶୁଖିଲା ପଡ଼ିଛି। ଗୁରୁବାର ସକାଳ ସୁଦ୍ଧା ଭଞ୍ଜନଗର ଜଳଭଣ୍ଡାରରେ ୩୮:୮୪ ପ୍ରତିଶତ ପାଣି ମହଜୁଦ ଥିବା ବେଳେ ଡହ ରେ ୪୨: ୧୪ପ୍ରତିଶତ, ବାଘୁଆରେ ୨୦:୪୫ ପ୍ରତିଶତ ଏବଂ ସୋରଡ଼ା ଜଳଭଣ୍ଡାରରେ ୪୧:୩୦ ପ୍ରତିଶତ ପାଣି ମହଜୁଦ ଥିବା ଜଣାପଡିଛି ।

Share