ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ‘ମୋନ୍ଥା’ ପ୍ରଭାବରେ ସୋମବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଅପରାହ୍ନ ପ୍ରାୟ ୧ଟାରେ ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ଅନାମିକା ପାଣ୍ଡେ,ଅତିରିକ୍ତ ବିଡ଼ିଓ ଉମେଶ ସେଠୀ, ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ ରୟ, ଜିପିଡିଓ ରୋଜାଲିନ ଦଳେଇ ପ୍ରମୁଖ ସହଦେବ ଟିକରପଡ଼ା ପଞ୍ଚାୟତ ପର୍ବତ ଘେରରେ ଥିବା ଦୁର୍ଗମ ଦାଦୁରୁମରେ ପହଞ୍ଚି କଚ୍ଚା ଘରେ ରହୁଥିବା ଲୋକଙ୍କୁ ବାତ୍ୟାର ଭୟାବହତା ସମ୍ପର୍କରେ ସଚେତନ କରିଥିଲେ। ପରେ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦାଦୁରୁମା ଏବଂ ଗୋଛାପାଟ ଉଭୟ ଗ୍ରାମର ୮୮ ଜଣଙ୍କୁ ଅପରାହ୍ନ ୪ ଟାରେ ନିକଟସ୍ଥ ଘାସିଆମ୍ବ ଗାଁ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଇଛି। ବାତ୍ୟାର ପ୍ରକୋପ କମିଲେ ସେମାନଙ୍କୁ ଛାଡି ଦିଆଯିବ ବୋଲି ବିଡ଼ିଓ କହିଛନ୍ତି।
\