ବର୍ଷାରେ ଭିଜିଲା କଟା ଧାନ , ବଢିଲା ଚାଷୀଙ୍କ ଚିନ୍ତା

ବୁଗୁଡ଼ା,୧।୧୨ (କାଳିଚରଣଦାଶ): ପୂର୍ବରୁ ପ୍ରକାଶିତ ପାଣିପାଗ ବିଭାଗର ସୂଚନା ମୁତାବକ ବୁଗୁଡ଼ା ଅଞ୍ଚଳରେ ସୋମବାର ସକାଳୁ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପବନ ଆରମ୍ଭ ହୋଇଯାଇଛି । ରବିବାର ଦିନଠାରୁ ପାଗ ମେଘୁଆ ରହିଥିବା ବେଳେ ସୋମବାର ଝିପିଝିପି ବର୍ଷାରେ ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଦିନ ସାରା ଲଗାଣ ବର୍ଷା ଫଳରେ ଅନେକ ଚାଷ ଜମିରେ କଟା ଧାନ ସବୁ ଓଦା ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଚଳିତ ବର୍ଷ ବର୍ଷାର ଅଭାବରୁ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ତଥାପି ବାଘୁଆ ଜଳଭଣ୍ଡାରରୁ ଜଳ ଯୋଗାଣ ସାଙ୍ଗକୁ ଆବଶ୍ୟକ ବେଳେ ବର୍ଷା ହୋଇଥିବାରୁ ଚଳିତ ବର୍ଷ ଭଲ ଫସଲ ହୋଇଥିଲା । ଏବେ କେତେକ ଚାଷୀ ଧାନ ଫସଲ କାଟି ଖଳାରେ ଜମାକରି ରଖିଛନ୍ତି ଏବଂ ଅନେକ ଚାଷୀ ଧାନକୁ କାଟି ଜମିରେ ରଖିଥିବା ବେଳେ ଏଇ ଝିପିଝିପି ବର୍ଷା ଯୋଗୁଁ ତାହା ଓଦା ହୋଇଯାଇଛି। ବର୍ଷାର ପ୍ରଭାବରେ ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ହୋଇଥିବା ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ଯୋଗୁ ଚାଷୀ ଚିନ୍ତାରେ ପଡିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଦିନସାରା ମେଘୁଆ ପାଗ ସହ ଝିପିଝିପି ବର୍ଷା ହେତୁ ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

 

Dharitri – The Largest & Most Trusted Odia Daily

 

Share
Tags: odisha