ନୂଆଦିଲ୍ଲୀ,୨୩ା୧: ଏକ ଶକ୍ତିଶାଳୀ ପଶ୍ଚିମା ଝଡ ପ୍ରଭାବ ଯୋଗୁଁ ସମଗ୍ର ଉତ୍ତର ଭାରତର ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ସକାଳୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ କାଶ୍ମୀର ଉପତ୍ୟକା ଏବଂ ହିମାଚଳ ପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ତୁଷାରପାତ ଜାରି ରହିଛି।
ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଶୁକ୍ରବାର ସକାଳ ୪:୫୦ରେ ଦିଲ୍ଲୀ ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଥିଲା। ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଯଥା ନରେଲା, ରୋହିଣୀ, ପିତମପୁରା, ପଞ୍ଜାବୀ ବାଗ୍ ଏବଂ ଦ୍ୱାରକାରେ ପ୍ରବଳ ପବନ ସହ ବର୍ଷା ଅନୁଭୂତ ହୋଇଛି। ଏହି ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢ଼ିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି ଦିନସାରା ଆକାଶ ମେଘାଚ୍ଛନ୍ନ ରହିବା ସହ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଆଉ ଏକ ପର୍ଯ୍ୟାୟରେ ହାଲୁକା ବର୍ଷା ହୋଇପାରେ।
ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଲମର୍ଗ ଏବଂ ଅନ୍ୟାନ୍ୟ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଗୁରୁବାର ରାତିରୁ ପ୍ରବଳ ତୁଷାରପାତ ଆରମ୍ଭ ହୋଇଛି। ଏଥିଯୋଗୁଁ ଶ୍ରୀନଗର ବିମାନବନ୍ଦରରେ ଦୃଶ୍ୟମାନ ସୀମା କମ୍ ରହିଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ବରଫ ଜମି ରହିଥିବାରୁ ଯାତାୟାତ ବନ୍ଦ ରହିଛି। ସେହିପରି ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
ହିମାଚଳ ପ୍ରଦେଶର ମନାଲିରେ ମଧ୍ୟ ତାଜା ତୁଷାରପାତ ହୋଇଛି, ଯାହାଫଳରେ ସମଗ୍ର ସହର ବରଫର ଧଳା ଚାଦରରେ ଢାଙ୍କି ହୋଇଯାଇଛି। ଏହି ତୁଷାରପାତ ପର୍ଯ୍ୟଟକ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି।
ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଏହିପରି ପାଣିପାଗ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।