୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ ସମ୍ଭାଳିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଏବେଠାରୁ ବଡ଼ ଧରଣର ଖର୍ଚ୍ଚକାଟ୍ ପଦକ୍ଷେପ ଆରମ୍ଭ କରାଯାଇଛି।

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେସାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନ ୨୦୨୬ ମସିହା ଜାନୁଆରୀ ୧ ତାରିଖରୁ ନିଜ ସୁପାରିଶ ଲାଗୁ କରିବାର ସମ୍ଭାବନା ରହିଛି। ଏହା ଫଳରେ ୫୦ ଲକ୍ଷ କର୍ମଚାରୀ ଓ ୬୯ ଲକ୍ଷ ପେନସନଭୋଗୀଙ୍କ ବେତନ ବୃଦ୍ଧି ପାଇବ। ରେଳବାଇ ଉପରେ ପଡ଼ିବାକୁ ଥିବା ଅତିରିକ୍ତ ଆର୍ଥିକ ବୋଝକୁ ହ୍ରାସ କରିବାକୁ ଏହି ଆଗୁଆ ପଦକ୍ଷେପ ନିଆଯାଇଛି।

‘ଦ ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁଯାୟୀ, ରେଳବାଇ ପକ୍ଷରୁ ମୁଖ୍ୟତଃ ରକ୍ଷଣାବେକ୍ଷଣ, ସାମଗ୍ରୀ କ୍ରୟ ଓ ଶକ୍ତି ବ୍ୟବହାର କ୍ଷେତ୍ରରେ ଖର୍ଚ୍ଚ କମାଇବା ପାଇଁ କାର୍ଯ୍ୟକାରୀ କରାଯାଉଛି।

୨୦୨୪-୨୫ ଆର୍ଥିକ ବର୍ଷରେ ରେଳବାଇର ଅପରେଟିଂ ରେସିଓ ୯୮.୯୦ ପ୍ରତିଶତ ରହିଥିଲା। ୨୦୨୫-୨୬ ପାଇଁ ଏହାକୁ ୯୮.୪୨ ପ୍ରତିଶତକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ଆର୍ଥିକ ଚାପକୁ ଦର୍ଶାଉଛି।

ଅଧିକାରୀମାନେ କହିଛନ୍ତି ଯେ ନିକଟରେ ଅଧିକାଂଶ ପୁଞ୍ଜି ବ୍ୟୟ ସିଧାସଳଖ ବଜେଟ୍ ସହାୟତା (GBS) ମାଧ୍ୟମରେ କରାଯାଉଥିବାରୁ, ଇଣ୍ଡିଆନ୍ ରେଲୱେ ଫାଇନାନ୍ସ କର୍ପୋରେସନ୍ (IRFC) ଠାରୁ ଋଣ ଉପରେ ନିର୍ଭରତା କମିଛି ଏବଂ ୨୦୨୭-୨୮ ବେଳକୁ ବାର୍ଷିକ ପରିଶୋଧ ପରିମାଣ ହ୍ରାସ ପାଇବ।

ଅଧିକାରୀଙ୍କ ମତରେ ୨୦୨୭-୨୮ ସୁଦ୍ଧା ମାଲ୍ ପରିବହନରୁ ବାର୍ଷିକ ପ୍ରାୟ ₹୧୫,୦୦୦ କୋଟି ଅଧିକ ଆୟ ହେବାର ସମ୍ଭାବନା ଅଛି। ଏହା ବେତନ ବୃଦ୍ଧିର ଭାରକୁ ସମ୍ଭାଳିବାରେ ସହାୟକ ହେବ।

ପୂର୍ବରୁ ୭ମ ବେତନ କମିଶନ ଲାଗୁ ହେବା ସମୟରେ ରେଳବାଇକୁ ବଡ଼ ଆର୍ଥିକ ଚାପର ସାମ୍ନା କରିବାକୁ ପଡ଼ିଥିଲା। ତେଣୁ ଏଥର ସେହି ପରିସ୍ଥିତି ଏଡ଼ାଇବା ପାଇଁ ରେଳବାଇ ପୂର୍ବରୁ ଆର୍ଥିକ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଉଛି।

Share