ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରଦୀପ ଦେବତା ଏଥିରେ ଅଧ୍ୟକ୍ଷତା କରିଥିଲେ। ସଭାରେ ବିଭିନ୍ନ ରେଳ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଇତିମଧ୍ୟରେ ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ଭୁବନେଶରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କୁ ଭେଟି ଭୁବନେଶ୍ୱର ପାଇଁ ସକାଳ ଇଣ୍ଟରସିଟି ବିଷୟରେ ଆଲୋଚନା ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ପରେ ପୁଣିଥରେ ସର୍କିଟ ହାଉସରେ ଏମ୍ପିଙ୍କୁ ଭେଟି ଉକ୍ତ ଦାବି ଉପରେ ରେଳବାଇ ତରଫରୁ କି ପଦକ୍ଷେପ ନିଆଯାଉଛି, ସେଥିପାଇଁ ଫୋନ ଯୋଗେ ଏହି ତଥ୍ୟ ମାଗିବା ତଥା ଚାପ ପ୍ରୟୋଗ କରିବା ବିଷୟରେ ଆଲୋଚନା ହୋଇ ସାରିଥିବା ଏବଂ ଏମ୍ପି ପୁରୋହିତ ସମସ୍ତଙ୍କ ସମ୍ମୁଖରେ ମହାପ୍ରବନ୍ଧକଙ୍କୁ ଫୋନରେ ଦାବି କରିଥିବା ସକାଳ ଇଣ୍ଟରସିଟିକୁ ଚଳାଇବା ପାଇଁ ଶୀଘ୍ର ପଦକ୍ଷେପ ନେବା ପାଇଁ ଜଣାଇଥିଲେ ବୋଲି ସୂଚନା ଦିଆଯାଇଥିଲା। ସମ୍ବଲପୁର ମଣ୍ଡଳ ପ୍ରବନ୍ଧକଙ୍କୁ ପ୍ରତିନିଧିମଣ୍ଡଳୀ ଭେଟି ଟ୍ରେନ୍ଗୁଡ଼ିକର ରହଣୀ ୫ମିନିଟ କରିବା, ସବୱେରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଯଥେଷ୍ଟ ଲାଇଟ ଓ ସିସିଟିଭି ଲଗାଇବା, ରେମ୍ପ ନିର୍ମାଣ, ନାଗାବଳୀ ଏକ୍ସପ୍ରେସର ପୁରୁଣା କୋଚ ବଦଳାଇ ନୂଆ କୋଚ ଲଗାଇବା, ସ୍ପେଶାଲ ଟ୍ରେନର ବରଗଡ଼ରେ ରହଣୀ ଆଦି ବିଷୟରେ ହୋଇଥିବା ଦାବିକୁ ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅନେକ ସଦସ୍ୟ ଭୁବନେଶ୍ୱରକୁ ସକାଳ ଇଣ୍ଟରସିଟି ପାଇଁ ଅନେକ ଦିନରୁ ଉଦ୍ୟମ କରିବା ସତ୍ତ୍ୱେ କିଛି ସୁଫଳ ମିଳି ନଥିବାରୁ ଆନ୍ଦୋଳନପନ୍ଥା ଗ୍ରହଣ କରିବା ପାଇଁ ସଭ୍ୟମାନେ ପ୍ରସ୍ତାବ ନିଆଯାଇଥିଲା। କିନ୍ତୁ ପ୍ରଥମଥର ପାଇଁ ବରଗଡ଼ ଏମ୍ପି ନିଜେ ଆଗ୍ରହର ସହିତ ଏ ଦିଗରେ ଚେଷ୍ଟା କରୁଥିବାରୁ କିଛିଦିନ ଧଯ୍ୟର ସହିତ ଅପେକ୍ଷା କରିବାକୁ ନିଷ୍ପତ୍ତି ନିଆଗଲା। ପରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯିବାକୁ ସ୍ଥିର କରାଯାଇଥିଲା। ବରଗଡ଼ ଷ୍ଟେଶନରେ କୋଚ ଡିସପ୍ଲେ ସିଷ୍ଟମ ଲାଗିଥିବା ସତ୍ତ୍ୱେ ବିଭିନ୍ନ ସମୟରେ ତାହା ଚଳା ଯାଉ ନ ଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏଥିପାଇଁ ଏକ ପ୍ରତିନିଧି ଦଳ ଷ୍ଟେଶନକୁ ଯାଇ ଏହାକୁ ନିୟମିତ ଚଳାଇବାକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରିବେ ବୋଲି ପ୍ରସ୍ତାବ ନିଆଯାଇଥିଲା। ନୂତନ ସଦସ୍ୟ ଭାବେ ବିନୟ ଲାଠ ଯୋଗ ଦେଇଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସଭାରେ ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହ, ଇନ୍ଦିରା ମହାନ୍ତି, ସମ୍ପାଦକ କମଳ ଯୋଶୀ, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପୂଜାରୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ, ସଦସ୍ୟ ଭାରତ ଭୁଷଣ ଦାଶ, ମଳୟ ମହାନ୍ତି, ଅଭୟ କୁମାର ଭୋଇ, ସତ୍ୟନାରାୟଣ ପଣ୍ଡା, ତୁଳସୀ ଚରଣ ଦାଶ, ଉଦ୍ଧବ ଚରଣ ବେହେରା, ରାମକୃଷ୍ଣ ମେହେର, ବିଷ୍ଣୁ ପ୍ରସାଦ ଧାନୁକା, ଲକି ମୀରୱାନି, ସି.ଏମ ରାଓ, ହରେକୃଷ୍ଣ ସାହୁ, ଅମିତ କୁମାର ସାହୁ, ପ୍ରଫୁଲ୍ଲ କୁମାର ନନ୍ଦ, ମହମ୍ମଦ ଅସଲମ, ଅନିଲ କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ଉପସଭାପତି ନିର୍ମଳ କିଶୋର କର ଧନ୍ୟବାଦ ଅର୍ପଣ କରିଥିଲେ।