ନିର୍ମାଣ ହେଉନି ରେଳ ଅଣ୍ଡରବ୍ରିଜ କି ଓଭରବ୍ରିଜ:ଲେଭଲ କ୍ରସିଂରେ ଟ୍ରାଫିକ ଜାମ ସ୍ଥିତି

ଭବାନୀପାଟଣା, ୧୩ା୫ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ରେଳ ଲେଭଲ କ୍ରସିଂରେ ଅଣ୍ଡରବ୍ରିଜ କିମ୍ବା ଓଭରବ୍ରିଜ ନାହିଁ। ଫଳରେ ଲେଭଲ କ୍ରସିଂରେ ଟ୍ରାଫିକ ଜାମ ପରିସ୍ଥିତି ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଟ୍ରେନ ଯାଉଥିବା ସମୟରେ ଦୀର୍ଘସମୟ ଧରି ଲୋକଙ୍କୁ ରାସ୍ତାରେ ଅପେକ୍ଷା କରିବାକୁ ପଡୁଛି।
ଜିଲାର ନର୍ଲା ରୋଡଠାରେ ଲେଭଲ କ୍ରସିଂ ଯୋଗୁ ବହୁ ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ନର୍ଲା ସହର ଆଡ଼କୁ ପ୍ରାୟ ୪୮ ମିଟର ଜାଗା ଅଧିଗ୍ରହଣ ହୋଇନାହିଁ। ଫଳରେ ଭବାନୀପାଟଣା ଉପଜିଲାପାଳ ଏହାର ଜନଶୁଣାଣି ଆରମ୍ଭ କରିଛନ୍ତି। ସେହିପରି ନର୍ଲା ତହସିଲ ପଟକୁ ପ୍ରାୟ ୨୦ ମିଟର ଜମି ପୂର୍ବରୁ ଅଧିଗ୍ରହଣ ହୋଇସାରିଛି। ଦୀର୍ଘଦିନରୁ ଓଭରବ୍ରିଜ ପାଇଁ ଦାବି ହେଉଥିବାରୁ ବର୍ତ୍ତମାନ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନର୍ଲା ବ୍ଲକର ରୁପ୍ରାରୋଡଠାରେ ଲେଭଲ କ୍ରସିଂ ଥିବାରୁ ଯାତ୍ରୀଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ରୁପ୍ରାରୁ ରୁପ୍ରାରୋଡକୁ ଆସିବାକୁ ୨ଟି ଲେଭଲ କ୍ରସିଂ ପଡୁଛି। ଦୀର୍ଘଦିନରୁ ଓଭରବ୍ରିଜ ଦାବି ହୋଇଆସୁଥିବାବେଳେ ରେଳ ବିଭାଗ ପକ୍ଷରୁ ଅଣ୍ଡର ବ୍ରିଜ ଅନୁମୋଦନ ହୋଇଥିବାରୁ ଏହି ପ୍ରକଳ୍ପ ବର୍ତ୍ତମାନ ଶୀତଳଭଣ୍ଡାରରେ ରହିଛି। ଭବାନୀପାଟଣାଠାରୁ କେସିଙ୍ଗା ଯିବାବେଳେ ସହର ଉପକଣ୍ଠରେ ଲେଭଲ କ୍ରସିଂ ଥିବା ଯୋଗୁ ଜାତୀୟ ରାଜପଥ ୨୬ରେ ଯାନବାହନ ଅଟକି ଯାତ୍ରୀମାନେ ହଇରାଣ ହେଉଛନ୍ତି। ୧୯୯୪ ମସିହାରୁ ପରମାନନ୍ଦପୁରରୁ ଓ ଭେଜିପଦର ମୌଜାରେ ଜମି ଅଧିଗ୍ରହଣ ସରିଛି। କେସିଙ୍ଗା ପଟେ ୬୦ ମିଟର ଓ ଭବାନୀପାଟଣା ପଟେ ୬୦ ମିଟର ଜମି ଅଧିଗ୍ରହଣ ହୋଇଛି। ରୁପ୍ରାରୋଡଠାରେ ଗୋଟିଏ ଲେଭଲ କ୍ରସିଂରେ ଓଭରବ୍ରିଜ କରାଯାଇ ଅନ୍ୟଏକ ଲେଭଲ କ୍ରସିଂରେ ବାଇପାସ୍‌ ରାସ୍ତା ପାଇଁ ଦାବି ହୋଇଆସୁଛି। ସେହିପରି ନର୍ଲା ରାସ୍ତାରେ ବଇରାପଦର, ଭବାନୀପାଟଣା ନିକଟରେ ଦେପୁର, ବାଦଲିଠାରେ ମଧ୍ୟ ଓଭରବ୍ରିଜ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଅନ୍ୟପକ୍ଷରେ ଜିଲାର ବିଭିନ୍ନ ସ୍ଥାନରେ ଥିବା ଅଣ୍ଡର ବ୍ରିଜରେ ପାଣି ଜମି ରହୁଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ବର୍ଷାଦିନେ ଯାତାୟାତ ଠପ ହୋଇଥାଏ। କଳାହାଣ୍ଡି ଜିଲାରେ ରେଲଓ୍ବେ ପକ୍ଷରୁ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଠୋସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।