ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ ସଭାପତିତ୍ୱ କରିଥିଲେ। ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରେଳବାଇ କ୍ଷେତ୍ରରେ ରହିଥିବା ବିଭିନ୍ନ ମୌଳିକ ଆବଶ୍ୟକତା ସମ୍ପର୍କରେ ଜଣାଇ ଜିଲାର ଦାବି ରଖିଥିଲେ। ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ଲାଗି ରେଳ ଲାଇନ ଆରପଟେ ଥିବା ଶାନ୍ତିନଗର, ଖିଙ୍ଗା ଓ ବଡଖିଙ୍ଗା ଗ୍ରାମକୁ ଯାତାୟାତ ନେଇ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଠାରେ ଫୁଟପାଥ ସହ ଏକ ଓଭର ବ୍ରିଜ ନଚେତ୍‌ ଭୂତଳ ରାସ୍ତା ନିର୍ମାଣ ପାଇଁ ଲୋକେ ବିଧାୟକଙ୍କୁ ଜଣାଇଥିଲେ। ଷ୍ଟାଣ୍ଡିଂ କମିଟି ବୈଠରେ ବିଧାୟକ ପାଣିଗ୍ରାହୀ ଲୋକଙ୍କ ଏହି ଦାବିକୁ ଉପସ୍ଥାପନ କରିଥିଲେ। ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀବାସୀଙ୍କ ଯୋଗାଯୋଗ କ୍ଷେତ୍ରରେ ରେଳ ସୁବିଧା ଏକ ମାତ୍ର ଲାଇଫ ଲାଇନ। ଏଠାକାର ଅଞ୍ଚଳବାସୀ ଶିକ୍ଷା, ସାସ୍ଥ୍ୟ, ମେଡିକାଲ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ମୁଖ୍ୟତଃ ହାଇଦ୍ରାବାଦ ଉପରେ ନିର୍ଭର କରିଥାନ୍ତି। ତେଣୁ ଗୁଣୁପୁରଠାରୁ ବିଶାଖାପାଟଣା ଚଳାଚଳ କରୁଥିବା ଟ୍ରେନକୁ ବିଶାଖାପାଟଣାରେ ହଲ୍ଟ ନ କରାଇ ତାହାକୁ ହାଇଦ୍ରାବାଦ ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଚଳାଇବା ପାଇଁ ବିଧାୟକ ଷ୍ଟାଣ୍ଡିଂ କମିଟିକୁ ଅବଗତ କରାଇଛନ୍ତି। ସେହିଭଳି ଭଦ୍ରକଠାରୁ ପାଲାସା ଆସୁଥିବା ଡିଏମୟୁ ଟ୍ରେନକୁ ରାତିରେ ପଲାସାରେ ରହଣି ନ କରାଇ ତାହାକୁ ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଚଳାଚଳ କରାଇବାକୁ ସେ ଦାବି ଜଣାଇଛନ୍ତି ।

ଅନ୍ୟପକ୍ଷରେ ପାରଳା ମହାରାଜା ତଥା ନବାଉତ୍କଳର ନିର୍ମାତା ଓଡ଼ିଶା ଗଠନରେ ମୁଖ୍ୟ ଭୂମିକା ରହିଥିବା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଏକପ୍ରତ୍ତିମୂର୍ତ୍ତି ରେଳଷ୍ଟେସନଠାରେ ସ୍ଥାପନ ପାଇଁ ବିଧାୟକ ଆଲୋଚନା େବେଳ ପ୍ରସ୍ତାବ ରଖିଥିଲେ। ସବୁ ଦାବିକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବେ ବୋଲି ଲୋକସଭା ଏମ୍‌ପି ତଥା କମିଟି ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ଏମ୍‌ପି ଦମଦାର ଅଗ୍ରୱାଲ, ଏମ୍‌ପି ତାରିକ ଅନୟାର, ଏମ୍‌ପି ସଂଗୀତା ସିଂଦେଓ, ଏମ୍‌ପି ଶତାବ୍ଦୀ ରାୟ ଓ ଅନ୍ୟମନେ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Share