ରାଇକିଆ,୨୭।୬( ପ୍ରଦିପ ବେହେରା): କନ୍ଧମାଳ ଜଲା ରାଇକିଆୟର ପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ସକାଳୁ ଅଖଣ୍ଡ ଦୀପ ପ୍ରଜ୍ବଳନ ସହ ବିଡିଓ ସବ୍ୟସାଚୀ ସାହୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ । ମଧ୍ୟାହ୍ନରେ ରଥ ସଂସ୍କାର କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ତିନିଟା ବେଳେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା ।
ଅନୁକୂଳ ପାଗ ଯୋଗୁ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ତିନି ଠାକୁରଙ୍କ ନୀତିକାନ୍ତି ସରିବା ପରେ ପହଣ୍ଡି ପାଇଁ ସେବକମାନେ ପ୍ରସ୍ତୁତ କରିଥିଲେ। ବିଡିଓ ଙ୍କ ଦ୍ବାରା ଛେରା ପହଁରା କରାଯିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବିଭାଗ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଅପରାହ୍ନ ସାଢ଼େ ପାଞ୍ଚ ଟାରେ ରଥଟଣା ଆରମ୍ଭ ହୋଇ ସାଢ଼େ ଛଅଟା ବେଳେ ରଥ ମାଉସୀ ମା ’ମନ୍ଦିର ରେ ପହଞ୍ଚିଥିଲା । ଜଗନ୍ନାଥ ପୂଜା କମିଟି ସଭାପତି ସତ୍ୟବାନ ପାତ୍ର ଏବଂ ସମ୍ପାଦକ ବାଇନାଥ ଦାସଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଗବାନ ପାତ୍ର ଏବଂ ଗଦାଧର ମହାରଣା ଧାରା ବିବରଣୀ ପ୍ରଦାନ କରିଥିଲେ।