ବେଆଇନ ମଦ କାରଖାନା ଉପରେ ଚଢ଼ାଉ, ବିପୁଳ ପରିମାଣର ମଦପୋଚ୍‌, ଅପମିଶ୍ରିତ ମଦ ଜବତ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଚିକିଟି ଅବକାରୀ ଉପ-ଅଧିକ୍ଷକ କୁମୁଦ ରଞ୍ଜନ କୁଅଁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ଓ ପୋଲିସ କର୍ମଚାରୀ ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଦାମପୁର, ଟି.ଗୋବିନ୍ଦପୁର, ପଦ୍ମପୁର, ରାଜନା ପଲ୍ଲୀ ଗ୍ରାମ ନିକଟ ଦୁର୍ଗମ ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରି ଏକାଧିକ ଚୋରା ମଦ କାରଖାନା ଧ୍ୱଂସ କରିଛନ୍ତି।

ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଦିଲ୍ଲୀପ କୁମାର ଜେନାଙ୍କ ଉପସ୍ଥିତିରେ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୭୮୧୦ ଲିଟର ଗୁଡ଼ ଓ ମହୁଲ ମିଶ୍ରିତ ପିଡ଼ିଆ ପୋଚ ଓ ୨ ଶହ ଲିଟର ଅପମିଶ୍ରିତ ଦେଶୀ ରନ୍ଧା ମଦ, ପ୍ଲାଷ୍ଟିକ ବାଲ୍ଟି , ଡ୍ରମ, ଡେକ୍ଚି ଇତ୍ୟାଦିକୁ ଘଟଣାସ୍ଥଳରୁ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ
ହୋଇଥିବା ଚଢ଼ାଉରେ ଦିଗପହଣ୍ଡି ଅବକାରୀ ଥାନା ଓଆଇସି ଅନିତା ପ୍ରଧାନ, ପାଟପୁର ଥାନା ଏସ୍‌ଆଇ ସୁଲେମାନ ଭୂୟାଁ, ପୋଡ଼ାମାରୀ ପୋଲିସ ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ଓ ଦିଗପହଣ୍ଡି, ଚିକିଟି , ଗୋଳନ୍ଥରା, ବ୍ରହ୍ମପୁର ଅବକାରୀ ମୋବାଇଲ ସ୍କ୍ବାର୍ଡ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଏପିଆର୍‌ ଫୋର୍ସ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Share