Categories: Home Leftଖେଳ

ରାହୁଲଙ୍କ ଶତକ: ଭାରତ ୩୮୭ରେ ଅଲଆଉଟ୍‌

ଲଡର୍‌ସ,୧୨ା୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ବରାବର ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୩୮୭ ରନ କରିଥିଲା। ଜବାବରେ ଲୋକେଶ ରାହୁଲଙ୍କ ଶତକ ପରେ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ମଧ୍ୟ ସମାନ ସ୍କୋରରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ତୃତୀୟ ଦିନ ଶେଷ ସୁଦ୍ଧା ବିନା ଉଇକେଟରେ ୨ ରନ କରିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଜ୍ୟାକ କ୍ରଲି ୨ ଓ ବେନ ଡକେଟ ବିନା ରନରେ ଅପରାଜିତ ରହିଛନ୍ତି।

ଭାରତୀୟ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୫/୩ରୁ ବ୍ୟାଟିଂ ଆରମ୍ଭ କରି ବଳକା ୭ ଉଇକେଟରେ ୨୪୨ ରନ ଯୋଡ଼ିଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟର ରାହୁଲ ଓ ରିଷଭ ପନ୍ତ ଆରମ୍ଭରୁ ଅତ୍ୟନ୍ତ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ସେଟ୍‌ ହେବା ପରେ ଦୁହେଁ ଆଟାକିଂ ବ୍ୟାଟିଂ କରିଥିଲେ। ପ୍ରଥମ ସେଶନର ଅନ୍ତିମ ବଲରେ ରାହୁଲଙ୍କ ସହ ଭୁଲ ବୁଝାମଣା କାରଣରୁ ପନ୍ତ ଦୁର୍ଭାଗ୍ୟଜନକ ଭାବେ ରନଆଉଟ୍‌ ହୋଇଥିଲେ।

ପନ୍ତ ୮ ଚୌକା ଓ ୨ ଛକା ସହିତ ୭୪ ରନ କରି ଆଉଟ୍‌ ହୋଇଥିଲେ। ସେ ରାହୁଲଙ୍କ ସହ ମିଶି ଚତୁର୍ଥ ଉଇକେଟରେ ୧୪୧ ରନ ଯୋଡ଼ିଥିଲେ। ଦ୍ୱିତୀୟ ସେଶନରେ ରାହୁଲ ଶତକ ପୂରଣ କରିବାର ତୁରନ୍ତ ପରେ ଆଉଟ୍‌ ହୋଇଥିଲେ। ସେ ୧୩ ଚୌକା ସହ ୧୦୦ ରନ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଦଶମ ଓ ଇଂଲଣ୍ଡରେ ଚତୁର୍ଥ ଶତକ ଥିଲା। ଐତିହାସିକ ଲଡର୍‌ସ ଭେନ୍ୟୁରେ ଏହା ତାଙ୍କର ଦ୍ୱିତୀୟ ଶତକ ଥିଲା। ଦୀଲିପ ଭେଙ୍ଗସରକରଙ୍କ ପରେ ରାହୁଲ ଦ୍ୱିତୀୟ ଭାରତୀୟ ଭାବେ ଏଭଳି ସଫଳତା ପାଇଛନ୍ତି।

ଏହାପରେ ଜାଡେଜା ଓ ନୀତିଶ କୁମାର ରେଡ୍ଡୀ ଷଷ୍ଠ ଉଇକେଟରେ ୭୨ ରନ ଯୋଡ଼ିଥିଲେ। ରେଡ୍ଡୀ ୩୦ ରନ କରି ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସଙ୍କ ବଲରେ ଉଇକେଟ୍‌ ପଛରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ରେଡ୍ଡୀ ଆଉଟ୍‌ ହେବା ପରେ ଜାଡେଜାଙ୍କ ସହ ଓ୍ବାଶିଂଟନ ମିଶି ସପ୍ତମ ଉଇକେଟରେ ୫୦ ରନ ଯୋଡ଼ିଥିଲେ। ଜାଡେଜା ୮ ଚୌକା ଓ ୧ ଛକା ସହିତ ୭୨ ରନ କରି ଆଉଟ୍‌ ହୋଇଥିଲେ। ଆକାଶ ଦୀପ ୭ ଓ ଯଶପ୍ରୀତ ବୁମରା ବିନା ରନରେ ଆଉଟ୍‌ ହୋଇଥିବା ବେଳେ ଓ୍ବାଶିଂଟନ (୨୩) ଅନ୍ତିମ ବ୍ୟାଟର ଭାବେ ପାଭିଲିଅନ ଫେରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ ଓ୍ବକ୍ସ ୩ ଉଇକେଟ ନେଇଥିବା ବେଳେ ଜୋଫ୍ରା ଆର୍ଚ୍ଚର ଓ ଷ୍ଟୋକ୍ସ ଦୁଇଟି ଲେଖାଏ ଉଇକେଟ ହାତେଇଥିଲେ।