Categories: Home Leftଖେଳ

ସିଏସ୍‌କେ ବୋଲରଙ୍କୁ କ୍ଷମା ଦେଲେନି ରାହୁଲ

ଦୁବାଇ,୭।୧୦: ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର କୌଣସି ବୋଲରଙ୍କ କ୍ଷମା ଦେଲେ ନାହିଁ ଲୋକେଶ ରାହୁଲ। ମାତ୍ର ୪୨ ବଲରେ ୯୮ ରନ୍‌ର ବିସ୍ଫୋରକ ଅପରାଜିତ ପାଳି ଖେଳି ଦଳକୁ ୧୩ ଓଭରରେ ଜିତାଇ ଦେଇଛନ୍ତି। ତାଙ୍କ ପାଳିରେ ସାମିଲ ଥିଲା ୮ ଛକା ଓ ୭ ଚୌକା। ତାଙ୍କର ଏଭଳି ଇନିଂସ ଯୋଗୁ ଚେନ୍ନାଇ ପକ୍ଷରୁ ଧାର୍ଯ୍ୟ ୧୩୫ ରନ୍‌ର ବିଜୟ ଲକ୍ଷ୍ୟକୁ ପଞ୍ଜାବ ମାତ୍ର ୧୩ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଛି। ବୃହତ୍‌ ବିଜୟ ସହ ପଞ୍ଜାବ ଦଳ ପ୍ଲେ-ଅପ୍‌ରେ ପ୍ରବେଶ ପାଇଁ ସମ୍ଭାବନା ସୃଷ୍ଟି କରିଛି।

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ପଞ୍ଜାବ ଅଧିନାୟକ ରାହୁଲ। ଏହାକୁ ଦଳର ବୋଲରମାନେ ସଠିକ୍‌ ପ୍ରମାଣ କରିବା ସହ ସିଏସ୍‌କେକୁ ୧୩୪/୬କୁ ରୋକି ଦେଇଥିଲେ। କେବଳ ଡୁ’ପ୍ଲେସି ୭୬ (୮ ଚୌକା ଓ ୨ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି କ୍ରିଜରେ ତିଷ୍ଠି ପାରି ନ ଥିଲେ।