ନୂଆଦିଲ୍ଲୀ,୨୦ା୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ସହରୀ ମାଓବାଦୀ’ ଭଳି କଥା କହୁଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଶୁକ୍ରବାର ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ଉପାଡ଼ି ଫିଙ୍ଗିଦେବାକୁ ଜେନ୍ ଜିଙ୍କୁ ଆହ୍ବାନ ଦେଉଛନ୍ତି। ରାହୁଲ ସମ୍ବିଧାନରେ ବିଶ୍ୱାସ କରନ୍ତି ନାହିଁ। ତାଙ୍କ ଉପଦେଷ୍ଟାମାନଙ୍କ ମାନସିକତା ମଧ୍ୟ ସହରୀ ମାଓବାଦୀଙ୍କ ଭଳି।
ରାହୁଲ ଗୁରୁବାର ସନ୍ଧ୍ୟାରେ ଭୋଟ ଚୋରି ଅଭିଯୋଗକୁ ଦୋହରାଇବା ସହ ଦେଶର ଯୁବ, ଛାତ୍ର, ଜେନ୍ ଜି ସମ୍ବିଧାନର ରକ୍ଷା କରିବେ, ଗଣତନ୍ତ୍ରର ସୁରକ୍ଷା କରିବେ ଓ ଭୋଟ ଚୋରି ରୋକିବେ ବୋଲି କହିଥିଲେ। ରାହୁଲ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ ନିର୍ବାଚନରେ ବାରମ୍ବାର ପରାଜୟ ପାଇଁ ନିଜକୁ ଦାୟୀ କରିବା ଆବଶ୍ୟକ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ରାହୁଲଙ୍କ ଭୋଟ ଚୋରି ଅଭିଯୋଗକୁ ନିର୍ବାଚନ କମିଶନ ମିଥ୍ୟା, ଭିତ୍ତିହୀନ କହି ପ୍ରତ୍ୟାଖ୍ୟାନ କରିଛି। ଉପଯୁକ୍ତ ପ୍ରକ୍ରିୟା ବିନା କୌଣସି ଭୋଟରଙ୍କୁ ବାଦ୍ ଦିଆଯାଇ ନ ଥାଏ ବୋଲି ଇସି କହିଛି।