ଲକ୍ଷ୍ନୌକୁ ବଞ୍ଚାଇ ଦେଲେ ମୋହସିନ, ରାହୁଲ

ମୁମ୍ବାଇ,୧।୫ : ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୬ ରନ୍‌ରେ ଦିଲ୍ଲୀ କ୍ୟାପିଟଲ୍ସକୁ ହରାଇ ଦେଇଛି। ଏହି ବିଜୟ ଯୋଗୁ ଲକ୍ଷ୍ନୌ ୧୪ ପଏଣ୍ଟ ସହ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ ୯ ମ୍ୟାଚ୍‌ରେ ୫ମ ପରାଜୟ ବରଣ କରି ପୂର୍ବ ଭଳି ୬ଷ୍ଠ ସ୍ଥାନରେ ଅଛି।
ଟସ୍‌ ଜିତି ବ୍ୟାଟିଂ କରିଥିବା ଲକ୍ଷ୍ନୌକୁ ୪୨ ରନ୍‌ର ଆରମ୍ଭ ଦେଇଥିଲେ ଅଧିନାୟକ ଲୋକେଶ ରାହୁଲ ଓ କ୍ୱିଇଣ୍ଟନ ଡି’କକ୍‌ (୨୩)। ତା’ ପରେ ଦୀପକ ହୁଡା (୫୨ ରନ୍‌, ୬ ଚୌକା ଓ ୧ ଛକା)ଙ୍କ ସହ ମିଶି ରାହୁଲ (୭୭ ରନ୍‌, ୪ ଚୌକା ଓ ୫ ଛକା) ଦ୍ୱିତୀୟ ଉଇକେଟ ପାଇଁ ୯୫ ରନ୍‌ କରିଥିଲେ। ଶେଷକୁ ମାର୍କସ ଷ୍ଟୋଇନିସ(୧୭)ଙ୍କ ଯୋଗୁ ଲକ୍ଷ୍ନୌ ୨୦ ଓଭରରେ ୩ ଉଇକେଟ ହରାଇ ୧୯୫ ରନ୍‌ କରିଥିଲା। ଦିଲ୍ଲୀ ପାଇଁ କେବଳ ଶାର୍ଦ୍ଦୂଳ ଠାକୁର (୩ ଉଇକେଟ) ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ଜବାବରେ ଦିଲ୍ଲୀ ୩ ଓଭର ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା। ଏଭଳି ପରିସ୍ଥିତିରେ ମିଚେଲ ମାର୍ଶ ଓ ଅଧିନାୟକ ପନ୍ତ(୪୪ ରନ୍‌, ୭ ଚୌକା ଓ ୧ ଛକା) ଧୂଆଁଦାର ବ୍ୟାଟିଂ କରିଥିଲେ। ଦୁହେଁ ୩ୟ ଉଇକେଟ ଲାଗି ୪ ଓଭରରେ ୬୦ ରନ୍‌ ଯୋଡ଼ିଥିଲେ। ୩ ଲେଖାଏ ଛକା ଓ ଚୌକା ସହିତ ୩୭ ରନ୍‌ କରି ମାର୍ଶ ଆଉଟ୍‌ ହେବା ପରେ ତାଙ୍କ ପଛରେ ପ୍ୟାଭିଲିଅନ ଚାଲି ଯାଇଥିଲେ ଲଲିତ ଯାଦବ। ଶେଷକୁ ରୋବମାନେ ପାଓ୍ବେଲ (୩୫ ରନ୍‌, ୩ ଚୌକା ଓ ୨ ଛକା), ଅକ୍ଷର ପଟେଲ (୪୨ ରନ୍‌, ୧ ଚୌକା ଓ ୩ ଛକା ) ଏବଂ କୁଲଦୀପ ଯାଦବ (୧୬ ରନ୍‌, ୧ ଲେଖାଏ ଚୌକା ଓ ଛକା) ଲଢ଼େଇ କରିଥିଲେ। ଏହାସତ୍ତ୍ୱେ ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୮୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳ ପାଇଁ ୪ ଉଇକେଟ ନେଇ ସର୍ବାଧିକ ଘାତକ ସାଜିଥିଲେ ମୋହସିନ ଖାନ।