ପାକିସ୍ତାନରେ ଚାଲିଛି ରାହୁଲ ଗାନ୍ଧୀଙ୍କ ପ୍ରଶଂସା: କାହିଁକି ଏମିତି କହିଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍

ନୂଆଦିଲ୍ଲୀ,୨/୫:ଦେଶରେ ଜାତିଭିତ୍ତିକ ଜନଗଣନା କରାଇବା ପାଇଁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନକୁ ନେଇ କଳ୍କି ଧାମର ପୀଠାଧୀଶ୍ୱର ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ଏକ ବଡ଼ ବୟାନ ଦେଇଛନ୍ତି।ସେ କହିଛନ୍ତି, ଆଶା କରାଯାଉଛି ଏହା ପରେ ବିରୋଧୀ ଦଳ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବେ। ଏହା ସହ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିରୋଧୀ ନେତାମାନଙ୍କ ବୟାନବାଜୀକୁ ନେଇ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି।

 

ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ କହିଛନ୍ତି , କେହି କେଉଁ ଜାତି କିମ୍ବା ଗୋତ୍ରରେ ଜନ୍ମ ନେଇଛନ୍ତି, ଏହା ଏକ ସାମାଜିକ ବିଷୟ। ଏହାଠାରୁ ବଡ଼ ବିଷୟ ହେଉଛି କେହି କେତେ ବଡ଼ ଦେଶଭକ୍ତ। ବିରୋଧୀ ଦଳ ସଫଳତା ପାଇବା ପାଇଁ ସମାଜକୁ ଜାତିଗତ ଭାବେ ବିଭାଜନ କରିବାକୁ ଚାହୁଁଛନ୍ତି। ତେଣୁ ଏମାନେ ସରକାରଙ୍କ ଉପରେ ବହୁ ଦିନ ଧରି ଦୋଷାରୋପ କରୁଥିଲେ। ଏବେ ଯେତେବେଳେ ଏହାର ଅନୁମତି ମିଳିଛି, ମୋର ମତ ହେଉଛି ଏବେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବେ।

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କଂଗ୍ରେସ ନେତାମାନଙ୍କ ବୟାନବାଜୀ ଉପରେ ସେ କହିଛନ୍ତି, ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କୁ ଠକିବା କାମ କରୁଛନ୍ତି। ଶହୀଦଙ୍କ ଘରକୁ ଯାଇ କେହି ଦେଶଭକ୍ତ ହୁଏ ନାହିଁ। ସେ ଶହୀଦଙ୍କ ଘରକୁ ଗଲେ, ଏହା ବହୁତ ଭଲ କଥା, କିନ୍ତୁ ସେ ଥରେ ମଧ୍ୟ ପାକିସ୍ତାନର ନାଁ ନେଇ ନାହାନ୍ତି। ସେ ପାକିସ୍ତାନ ଓ ପହଲଗାମ ନାଁରେ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବାର ସୁଯୋଗ ଖୋଜୁଛନ୍ତି। ରାହୁଲ ଗାନ୍ଧୀ ଯାହା କୁହନ୍ତି, ତାହା କରନ୍ତି ନାହିଁ। ସେ ଯାହା କରୁଛନ୍ତି, ତାହା ଏଥିପାଇଁ କରୁଛନ୍ତି ଯେପରି ଏହି ଦେଶରେ ଏହି ବାର୍ତ୍ତା ନ ଯାଏ ଯେ ରାହୁଲ ଗାନ୍ଧୀ ସରକାରଙ୍କ ସହ ଛିଡ଼ା ନାହାନ୍ତି। ଏହା ଏକ ବଡ଼ ଧୋକା।ସେ ଆହୁରି କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଚାଇନା ଓ ପାକିସ୍ତାନରେ ରାହୁଲ ଗାନ୍ଧୀଙ୍କ ପ୍ରଶଂସା ହେଉଥିଲା। ଏବେ ସେଠାରେ ଅଖିଳେଶ ଯାଦବଙ୍କ ମଧ୍ୟ ପ୍ରଶଂସା ହେବାକୁ ଲାଗିଛି। ମୋର ମନେ ହୁଏ ଭାରତର ଲୋକମାନେ ଏହାକୁ ଗମ୍ଭୀରତାର ସହ ନେବା ଉଚିତ।

Share