‘ଜାହାଜ ବୁଡ଼ିଯିବାର ଭୟକରି ଡେଇଁପଡ଼ିଥିଲେ ରାହୁଲ’

ଥିରୁଭାନନ୍ତପୁରମ,୧୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅସ୍ଥିର। ତେଣୁ ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସଭାର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ପି.ଜେ. କୁରିଏନ୍‌ କହିଛନ୍ତି।

୮୧ ବର୍ଷୀୟ କୁରିଏନ୍‌ କହିଛନ୍ତି, ଜାହାଜ ଅସୁବିଧାରେ ଥିବାବେଳେ ଜଣେ କ୍ୟାପ୍‌ଟେନ ତାକୁ ଛାଡ଼ି ଯାଇପାରିବେ ନାହିଁ। ହେଲେ ୨୦୧୯ ନିର୍ବାଚନରେ କଂଗ୍ରେସର ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଦଳର ନେତୃତ୍ୱ ନେବାକୁ ସାହସ ଦେଖାଇବାର ଥିଲା। ହେଲେ ସେ ତରବରିଆ ଭାବେ ଇସ୍ତଫା ଦେଇ ଦାୟିତ୍ୱରୁ ଦୂରେଇଯାଇଥିଲେ।

ଏପରି କି ସେ ବରିଷ୍ଠ ନେତାଙ୍କ ସହ କୌଣସି ପରାମର୍ଶ କରନ୍ତି ନାହିଁ। ଯେଉଁମାନଙ୍କ କୌଣସି ଅଭିଜ୍ଞତା ନାହିଁ, ତାଙ୍କ ସହ ଆଲୋଚନା ପରେ ସେ ନିଷ୍ପତ୍ତି ନିଅନ୍ତି। ସେ ଏକ ଜାହାଜର ଅଧିନାୟକ। ଯିଏ ଜାହାଜ ବୁଡ଼ିଯିବାର ଭୟକରି ଡେଇଁପଡ଼ିଥିଲେ। ଏହା ତାଙ୍କର ସ୍ଥିରତାର ଅଭାବ ଦର୍ଶାଉଛି ବୋଲି ଏକ ସାକ୍ଷାତ୍‌କାରରେ କୁରିଏନ୍‌ କହିଛନ୍ତି।