ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦେପୁର ଗ୍ରାମର ଓଡ଼ିଶାର ପ୍ରଥମ ପାରାଗ୍ଲାଇଡିଂ ପାଇଲଟ ରାହୁଲ ପଧାନ ଶୁକ୍ରବାର ଆଫ୍ରିକାର ସର୍ବୋଚ୍ଚ ପର୍ବତ ମାଉଣ୍ଟ କିଲିମାଞ୍ଜାରୋ (୫,୮୯୫ ମିଟର) ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଦ୍ୱାରା ରାହୁଲ ‘ସେଭେନ ସମିଟ’ ଚ୍ୟାଲେଞ୍ଜ (ପ୍ରତ୍ୟେକ ମହାଦେଶର ସର୍ବୋଚ୍ଚ ପର୍ବତ ଆରୋହଣ) ପୂରଣ କରିବା ଲକ୍ଷ୍ୟରେ ପାଦ ଦେଇଛନ୍ତି। ଏହା ପୂର୍ବରୁ ସେ ମାଉଣ୍ଟ ଏଲବ୍ରୁସ (ୟୁରୋପର ସର୍ବୋଚ୍ଚ ପର୍ବତ) ଅଭିଯାନକୁ କେବଳ ୨୨ ଘଣ୍ଟା ମଧ୍ୟରେ ବିନା ସହଯୋଗରେ ପୂରଣ କରିଥିଲେ। ଏଥିରେ ସେ ଓଡ଼ିଶାର ପ୍ରଥମ ଥିଲେ। ବ୍ୟାସଦେବ ପଧାନ ଓ ଆରତି ପଧାନଙ୍କ ପୁଅ ରାହୁଲ କେବଳ ଜଣେ ପର୍ବତାରୋହୀ ନୁହନ୍ତି, ସେ ଗ୍ରାମୀଣ ଯୁବସମୁଦାୟଙ୍କ ମଧ୍ୟରେ ଦୁଃସାହସିକ କ୍ରୀଡ଼ା, ଶାରୀରିକ ଫିଟ୍ନେସ ପାଇଁ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ପରିଚିତ। ଗ୍ରାମାଞ୍ଚଳର ଯୁବକମାନେ ନିଜର ଦୃଢ଼ ଇଚ୍ଛା ଓ ମନୋବଳ ଦ୍ୱାରା ଏମିତି ଉପଲବ୍ଧି ହାସଲ କରନ୍ତୁ ବୋଲି ସେ ବାର୍ତ୍ତା ଦେଇଥିଲେ।