ସାବରକରଙ୍କୁ ନେଇ ଟଣାଓଟରା

ଶିବସେନା ଓ କଂଗ୍ରେସ ଦୁଇଟି ଭିନ୍ନ ଚିନ୍ତାଧାରାର ଦଳ। କ୍ଷମତା ରାଜନୀତିର ବାଧ୍ୟବାଧକତା ଦିନେ ଏହି ଦୁଇ ଦଳକୁ ଏକାଠି କରିଥିଲା। କିନ୍ତୁ ଏବେ ଶିବସେନା ଯେଉଁ ବୀର ସାବରକରଙ୍କୁ ନିଜ ଆଦର୍ଶ ବିବେଚନା କରି ତାଙ୍କ ପାଇଁ ‘ଭାରତ ରନତ୍’ ଉପାଧି ମାଗୁଛି ସେହି ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ବାର ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି। ଏହାକୁ ଉଦ୍ଧବ ଠାକ୍‌ରେଙ୍କ ଦଳ ବିରୋଧ କରିଛି। ଦଳର ମୁଖପାତ୍ର ସାମ୍‌ନାରେ ଏନେଇ ରାହୁଲଙ୍କୁ ଶୁଣାଇ ଦିଆଯାଇଛି ଯେ, ଆଉ ବରଦାସ୍ତ କରିହେବ ନାହିଁ।

ନୂଆଦିଲ୍ଲୀ/ମୁମ୍ବାଇ,୨୮ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୀର ସାବରକରଙ୍କୁ ଅପମାନିତ କରି ସତ୍ୟର ଯୁଦ୍ଧ ଜିତିପାରିବେ ନାହିଁ ବୋଲି ସୋମବାର ଶିବସେନା ମୁଖପାତ୍ର ସାମ୍ନା ସମ୍ପାଦକୀୟରେ ଉଦ୍ଧବ ଠାକ୍‌ରେ ଉଲ୍ଲେଖ କରିଛନ୍ତି। ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି(ଏମ୍‌ଭିଏ) ମେଣ୍ଟରେ କଂଗ୍ରେସ ସାମିଲ ହୋଇଥିଲେ ସୁଦ୍ଧା ସାବରକରଙ୍କୁ ନେଇ ସର୍ବପୁରାତନ ଦଳର ଆଭିମୁଖ୍ୟକୁ ଶିବସେନା (ୟୁଟିବି) ଗ୍ରହଣ କରିବ ନାହିଁ ବୋଲି ଏଥିରେ ରୋକ୍‌ଠୋକ୍‌ ଶୁଣାଇ ଦିଆଯାଇଛି।
ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏପରି କି ସେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ। ଏହା ପୂର୍ବରୁ ରାହୁଲ ଲଣ୍ଡନରେ ଭାରତୀୟ ଗଣତନ୍ତ୍ର ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଏହାକୁ ନେଇ ହିନ୍ଦୁତ୍ୱବାଦୀ ଭାଜପା ରାହୁଲ ଓ ତାଙ୍କ ଦଳକୁ ବାରମ୍ବାର ଟାର୍ଗେଟ କରୁଛି। ରାହୁଲ କ୍ଷମା ମାଗନ୍ତୁ ବୋଲି ଗୈରିକ ଦଳ ଦାବି କରୁଛି। ଏନେଇ ରାହୁଲ ଶନିବାର କହିଥିଲେ, ସାବରକର ବ୍ରିଟିଶ ଶାସକଙ୍କୁ ସହାୟତା କରିଥିଲେ ଓ ସେମାନଙ୍କୁ ଭୟକରି କ୍ଷମାଭିକ୍ଷା କରିଥିଲେ। ସେ ସାବରକର ନୁହନ୍ତି ଯେ କ୍ଷମା ମାଗିବେ ବୋଲି ରାହୁଲ ସ୍ପଷ୍ଟ କରିଥିଲେ। କେବଳ ଶନିବାର ନୁହେଁ, ଏହା ପୂର୍ବରୁ ମଧ୍ୟ ମୋଦି ଓ ଭାଜପାକୁ ଟାର୍ଗେଟ କରିବାକୁ ଯାଇ ସେ ବୀର ସାବରକରଙ୍କ ସମ୍ପର୍କରେ ଅବତାରଣା କରିଥିଲେ। ଅନ୍ୟପକ୍ଷେ ବ୍ରିଟିଶ୍‌ ଶାସନ ଅମଳରେ ସାବରକର ଦାସତ୍ୱ ବିରୋଧରେ ଲଢ଼େଇ କରୁଥିଲେ। ତାଙ୍କ ଅପମାନକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ରାହୁଲଙ୍କ ଉପରେ ବର୍ଷିଛି ଶିବସେନା (ୟୁଟିବି)। ଏମ୍‌ଭିଏ ଗଠନ ପୂର୍ବରୁ ରାହୁଲ ଯେତେବେଳେ ବି ସାବରକରଙ୍କ ଉପରେ ନକାରାମତ୍କ ମନ୍ତବ୍ୟ ଦେଇଛନ୍ତି, ଉଦ୍ଧବଙ୍କ ଶିବସେନା ତାକୁ କଡ଼ା ନିନ୍ଦା କରିଛି। ସଦ୍ୟ ପ୍ରକାଶିତ ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି ଯେ, ମାନହାନି ମାମଲାରେ ରାହୁଲଙ୍କ ସହ ଯାହା ହୋଇଛି ତାହା ଅନ୍ୟାୟ। କିନ୍ତୁ ସାବରକରଙ୍କୁ ଅପମାନିତ କରି ସେ ସତ୍ୟର ଯୁଦ୍ଧରେ ବିଜୟୀ ହୋଇପାରିବେ ନାହିଁ। ରାହୁଲ ଦେଶ ଓ ସତ୍ୟ ପାଇଁ ପ୍ରାଣବଳୀ ଦେଇଥିବା ଏକ ପରିବାରରେ ଜନ୍ମିତ। କିନ୍ତୁ ସାବରକର ଓ ତାଙ୍କ ପରିବାର ମଧ୍ୟ ଦେଶ ପାଇଁ କାମ କରିଥିଲେ।

ଆଣ୍ଡାମାନର ସେଲ୍ୟୁଲାର ଜେଲରେ ଅନେକ ବର୍ଷ ବିତାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ବାରମ୍ବାର ଅପମାନିତ କରିବା ଦୁର୍ଭାଗ୍ୟର କଥା। ସାବରକର ବ୍ରିଟିଶ୍‌ମାନଙ୍କୁ କ୍ଷମା ମାଗିଥିବାର କୌଣସି ପ୍ରମାଣ ନାହିଁ। ରାହୁଲଙ୍କ ବିରୋଧରେ ୫ ବର୍ଷ ପୂର୍ବେ ଏତଲା ଦେଇଥିଲି। ଏହାର ଶୁଣାଣି ଶେଷ ହେଲେ ରାହୁଲ ପୁଣି ଥରେ ଦୋଷୀ ସାବ୍ୟସ୍ତ ହେବେ।

-ରଣଜିତ ସାବରକର, ବୀର ସାବରକରଙ୍କ ଅଣନାତି