ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗ୍ରାମର ସିଏଚ. ରଘୁନାଥ ପାତ୍ର(୬୫) ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ସାହସପୁର ହାଟପଦା ନିକଟ ଏକ ଜମିରେ ଥିବା ଗାଡ଼ିଆରୁ ଗୁରୁବାର ସକାଳେ ଉଦ୍ଧାର କରାଯାଇଛି। ରଘୁନାଥ ସାହସପୁର ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଧବାର ଭୋଜି ଖାଇବାକୁ ଯାଇଥିଲେ। ସେସେଠାରୁ ଆକସ୍ମିକ ନିଖୋଜ ହୋଇଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା।
ଗୁରୁବାର ଭୋରରେ କିଛି ବ୍ୟକ୍ତି ଚାଷଜମିକୁ ଯାଉଥିବା ବେଳେ ଗାଡ଼ିଆ ହିଡ଼ରେ ଚପଲ, ଶର୍ଟ ଓ ଧୋତି ପଡ଼ିଥିବା ଦେଖିଥିଲେ। ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚି ଦିଗପହଣ୍ଡି ଅଗ୍ନିଶମବାହିନୀକୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଆରୁ ମୃତଦେହ ଉଦ୍ଧାର କରିବା ସହ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରଘୁନାଥଙ୍କ ପୁଅ ଅର୍ଜୁନ ପାଟପୁର ଥାନାରେ ଏତଲା ଦେବାପରେ ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅପମୃତ୍ୟୁ ମାମଲା ନଂ.୪/୨୬ ଅନୁଯାୟୀ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।