ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ ମଠରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ହେବା ସହ ବିଶ୍ୱ ହିନ୍ଦୁ ପରିଷଦ ଓ ଶ୍ରୀ ବଜରଙ୍ଗ ସେନା ପକ୍ଷରୁ ବ୍ୟାପକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।
ରାଜନଗର ସ୍ଥିତ ରଘୁନାଥ ଜିଉ ମଠରେ ଦେବତ୍ତୋର ବିଭାଗ ପକ୍ଷରୁ ସୱତନ୍ତ୍ର ପୂଜା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ବିଡ଼ିଓ ମାନସ କୁମାର ଦଣ୍ଡପାଟ ଏବଂ ସ୍ଥାନୀୟ ଆର.ଆଇ. ଶିବ ପ୍ରାସାଦ ମାହାନ୍ତ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।
ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ଓ ଆର.ଏସ୍.ଏସ୍. ପକ୍ଷରୁ ଶୁକ୍ରବାର ସାରେ ଏକ ଭବ୍ୟ ରାମ ଝଣ୍ଡା ଶୋଭାଯାତ୍ରା ବାହାରିଥିଲା। ସ୍ବାମ୍ ଛକ ସ୍ଥିତ ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏହି ରାଲି ବଜାର ପରିକ୍ରମା କରି ଆନନ୍ଦେଶ୍ୱର ଶିବ ମନ୍ଦିରରେ ପହଞ୍ଚିଥିଲା। ଏଥିରେ ବିଧାୟକଙ୍କ ସମେତ ବିଏଚପି ବ୍ଲକ ସଭାପତି ସନାତନ ଦାଶ, ବିରଞ୍ଚି ମହାନ୍ତ, ଡମ୍ବରୁଧର ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, ତାପସ କୁମାର ମିଶ୍ର ଏବଂ ଭାଜପା ନେତା ପ୍ରକାଶ ସେଠୀଙ୍କ ଭଳି ଅନେକ କର୍ମକର୍ତ୍ତା ସାମିଲ ହୋଇଥିଲେ।
ତୁରୁମୁଙ୍ଗାଠାରେ ଶ୍ରୀ ବଜରଙ୍ଗ ସେନା ପକ୍ଷରୁ ’ଗୋ-ମାତାଙ୍କ ସେବା ଓ ସୁରକ୍ଷା’ ପାଇଁ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲା ସାଧାରଣ ସମ୍ପାଦକ କନ୍ଦର୍ପ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ରାଲିରେ ରାଜ୍ୟ ସଭାପତି ତପନ କୁମାର ମହାନ୍ତି ଓ ରାଜ୍ୟ ପ୍ରଭାରୀ ଓମ୍ ଚନ୍ଦ୍ର ମୋହନ ନାଏକ ଯୋଗ ଦେଇଥିଲେ। ତ୍ରିବିନ୍ଧା ଶିବ ମନ୍ଦିରରୁ ବାହାରିଥିବା ଏହି ଶୋଭାଯାତ୍ରା ଧନୁର୍ଜୟପୁର, ବାଉଁଶୁଳି, କଣ୍ଟିଆପଡା ଓ ନୂଆଗାଁ ଆଦି ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ ଗୋ-ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲା।