ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି।
ମନେପଡୁଛି ସେଇ ଦିନଗୁଡ଼ିକ, ଯେତେବେଳେ ଗାଁ ମୁଣ୍ଡ ବରଗଛ ମୂଳେ ରେଡିଓର ସ୍ବର ଗୁଞ୍ଜରି ଉଠୁଥିଲା। ‘ଆକାଶବାଣୀ, କଟକ…’ – ଏହି କେଇପଦ ଶବ୍ଦ କେବଳ ସୂଚନା ନଥିଲା, ବରଂ କୋଟି କୋଟି ଓଡ଼ିଆଙ୍କ ପାଇଁ ଏକ ଭରସାର ସ୍ବର ଥିଲା। ଆଜି ସେହି ଅମର ଯନ୍ତ୍ରର ସମ୍ମାନାର୍ଥେ ସାରା ବିଶ୍ୱ ପାଳନ କରୁଛି ‘ବିଶ୍ୱ ବେତାର ଦିବସ’। ଏହି ଦିବସ ମନେପକାଇଦିଏ ଯେ ସୂଚନା ପ୍ରସାରଣର ଶକ୍ତିଶାଳୀ ମାଧ୍ୟମ ଭାବେ ରେଡିଓର କୌଣସି ବିକଳ୍ପ ନାହିଁ। ଆଜିର ସ୍ମାର୍ଟଫୋନ୍‌ ଏବଂ ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ରେଡିଓର ଆବେଗ ଅତୁଟ ରହିଛି। ବାତ୍ୟା ହେଉ କି ବନ୍ୟା, ରଥଯାତ୍ରାର ସିଧାପ୍ରସାରଣ ହେଉ କି କ୍ରିକେଟ ମଇଦାନର ରୋମାଞ୍ଚକର ଭାଷ୍ୟ ଶ୍ରୋତାଙ୍କୁ ଆକର୍ଷିତ କରିଚାଲିଛି।
ରେଡିଓର ଜନ୍ମ କାହାଣୀ କୌଣସି ରୋମାଞ୍ଚକର ଉପନ୍ୟାସଠାରୁ କମ୍‌ ନୁହେଁ। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ଜେମ୍ସ କ୍ଲର୍କ ମାକ୍ସୱେଲ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗର ପରିକଳ୍ପନା କଲେ, ସେତେବେଳେ କେହି ଭାବି ନ ଥିଲେ ଯେ ଦିନେ ଶୂନ୍ୟତାର ବ୍ୟବହାରରେ ମଣିଷର କଥା ଦୂର-ଦୂରାନ୍ତରକୁ ଯାଇପାରିବ। ହେନ୍‌ରିକ ହର୍ଜ ଏହି ତରଙ୍ଗର ପ୍ରମାଣ ଦେଲେ ଏବଂ ପରବର୍ତ୍ତୀ ସମୟରେ ଗୁଗ୍ଲିଏଲ୍ମୋ ମାର୍କୋନି ପ୍ରଥମ କରି ବେତାର ଯୋଗାଯୋଗ ପ୍ରତିଷ୍ଠା କଲେ। ଭାରତରେ ଏହାର ଯାତ୍ରା ୧୯୨୦ ଦଶକରେ ଆରମ୍ଭ ହୋଇଥିଲା। ୧୯୨୩ରେ ବମ୍ବେ ରେଡିଓ କ୍ଲବ ପ୍ରଥମ ପ୍ରସାରଣ ଆରମ୍ଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ‘ଅଲ୍‌ ଇଣ୍ଡିଆ ରେଡିଓ’ ଓ ପରେ ‘ଆକାଶବାଣୀ’ ଭାବେ ପରିଚିତ ହେଲା। ସେତେବେଳେ ଏହା କେବଳ ମନୋରଞ୍ଜନର ମାଧ୍ୟମ ନ ଥିଲା ବରଂ ସ୍ବାଧୀନତା ସଂଗ୍ରାମ ସମୟରେ ଦେଶଭକ୍ତିର ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ସାଜିଥିଲା।
ୟୁନେସ୍କୋ ଦ୍ୱାରା ୨୦୧୧ ମସିହାରେ ପ୍ରଥମ କରି ଫେବୃଆରୀ ୧୩ ତାରିଖକୁ ବିଶ୍ୱ ବେତାର ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ଦିନଟିକୁ ବାଛିବାର ଏକ ବିଶେଷ ଐତିହାସିକ କାରଣ ରହିଛି। ୧୯୪୬ ଫେବୃଆରୀ ୧୩ ରେ ଜାତିସଂଘ ନିଜସ୍ବ ରେଡିଓ ଷ୍ଟେଶନ ପ୍ରତିଷ୍ଠା କରିଥିଲା, ଯାହା ବିଶ୍ୱ ଶାନ୍ତି ଓ ସହଯୋଗର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲା। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ବେତାର କେନ୍ଦ୍ରଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରିବା। ଏହା ମାନବ ଅଧିକାର ଓ ଅଭିବ୍ୟକ୍ତିର ସ୍ବାଧୀନତା, ସଂହତିକୁ ଗୁରୁତ୍ୱ ଦେଇଥାଏ। ରେଡିଓର ବିଶେଷତ୍ୱ ହେଉଛି ଏହାର ନିର୍ଭରଯୋଗ୍ୟତା। ଟେଲିଭିଜନ ଓ ଇଣ୍ଟରନେଟ ଆସିଲା ପରେ ଅନେକେ ଭାବିଥିଲେ ରେଡିଓର ଯୁଗ ଶେଷ ହେବ, କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି। ଯେତେବେଳେ କୌଣସି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆସେ, ସେତେବେଳେ ମୋବାଇଲ ନେଟୱାର୍କ ବିଫଳ ହୁଏ ଏବଂ ବିଦ୍ୟୁତ୍‌ ଅଭାବରୁ ଟିଭି ଚାଲେ ନାହିଁ, ସେତିକି ବେଳେ ଗୋଟିଏ ଛୋଟ ବ୍ୟାଟେରୀ ଚାଳିତ ରେଡିଓ ହିଁ ସତର୍କ ସୂଚନା ଦେଇ ଜୀବନ ରକ୍ଷା କରେ। ରେଡିଓ ମଣିଷର କଳ୍ପନା ଶକ୍ତିକୁ ବଢ଼ାଏ। ଆମେ ଯେତେବେଳେ ରେଡିଓରେ ନାଟକଟିଏ ଶୁଣୁ, ଆମ ମନ ଭିତରେ ନିଜସ୍ବ ଏକ ଚିତ୍ରପଟ ପରିକଳ୍ପିତ ହୁଏ, ଯାହା କୌଣସି ହାଇ-ଡେଫିନେସନ ସ୍କ୍ରିନ ଦେଇପାରିବ ନାହିଁ।
ଗୋଷ୍ଠୀ ବେତାର ବା କମ୍ୟୁନିଟି ରେଡିଓ ହେଉଛି ସାଧାରଣ ମଣିଷର ଅସାଧାରଣ ସ୍ବର। ଏହା ହେଉଛି ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା ପରିଚାଳିତ ଏକ ମାଧ୍ୟମ। ବିଶ୍ୱ ପରିପ୍ରେକ୍ଷୀରେ ଏହାର ସୂତ୍ରପାତ ଲାଟିନ ଆମେରିକାରେ ୧୯୪୦ ଦଶକରେ ହୋଇଥିଲା, ଯେଉଁଠି ଖଣି ଶ୍ରମିକମାନେ ନିଜ ଅଧିକାର ପାଇଁ ଏହାକୁ ବ୍ୟବହାର କରୁଥିଲେ। ଭାରତରେ ଏଥିପାଇଁ ସଂଘର୍ଷ ଦୀର୍ଘ ଦିନର ଥିଲା। ୧୯୯୫ରେ ସୁପ୍ରିମକୋର୍ଟ ଘୋଷଣା କଲେ ଯେ ବାୟୁତରଙ୍ଗ ହେଉଛି ଜନସାଧାରଣଙ୍କ ସମ୍ପତ୍ତି। ଏହା ପରେ ୨୦୦୪ ମସିହାରେ ଆନ୍ନା ବିଶ୍ୱବିଦ୍ୟାଳୟରେ ଭାରତର ପ୍ରଥମ କମ୍ୟୁନିଟି ରେଡିଓ ସ୍ଥାପିତ ହୋଇଥିଲା। ଓଡ଼ିଶାରେ ୨୦୧୦ ଫେବ୍ରୁୟାରୀ ୧୨ ରେ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ’ରେଡିଓ ନମସ୍କାର ତାର ପ୍ରସାରଣ ଆରମ୍ଭ କରିଥିଲା ,ଏବେ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ମୋଟ ୪୬ ଟି କମ୍ୟୁନିଟି ରେଡିଓ ତାଙ୍କର ପ୍ରସାରଣ ଜାରିରଖିଛନ୍ତି ଏବଂ ସ୍ଥାନୀୟ ଲୋକଙ୍କ ସମସ୍ୟା ଉଠାଇବାରେ ସଫଳ ହୋଇଛନ୍ତି।
ସମୟ ବଦଳିବା ସହ ରେଡିଓ ମଧ୍ୟ ନିଜକୁ ଆଧୁନିକ କରିଛି। ଏବେ ଡିଜିଟାଲ ରେଡିଓ ଏବଂ ପଡ୍‌କାଷ୍ଟ ମାଧ୍ୟମରେ ଏହା ପୁଣି ଥରେ ଯୁବପିଢ଼ିଙ୍କ ପ୍ରିୟ ପାଲଟିଛି। କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଗୋଷ୍ଠୀ ବେତାର ଯେତେ ସଶକ୍ତ ହେବ, ଦେଶର ତୃଣମୂଳ ସ୍ତରର ସ୍ବର ସେତେ ଶକ୍ତିଶାଳୀ ହେବ। ରେଡିଓ କେବଳ ଏକ ଯନ୍ତ୍ର ନୁହେଁ, ଏହା ଏକ ଅନୁଭୂତି। ଏହି ବିଶ୍ୱ ବେତାର ଦିବସରେ ଆମେ ସେହି ସବୁ କଣ୍ଠଶିଳ୍ପୀ ଓ ବେତାର କର୍ମୀଙ୍କୁ ସମ୍ମାନ ଜଣାଇବା ଉଚିତ, ଯେଉଁମାନେ ନିଜ ସୱରରେ ଅନ୍ଧକାର ଭିତରେ ଆଲୋକର ବର୍ତ୍ତିକା ଜାଳି ରଖିଛନ୍ତି। ଫଳରେ ଶିଶୁଙ୍କ ଠାରୁ ବୟସ୍କ, ମହିଳା, ଯୁବ, ଚାଷୀ, ଶ୍ରମିକ ଆଦି ବ୍ୟକ୍ତିଙ୍କ ନିମନ୍ତେ ଶିକ୍ଷା, ସୂଚନା, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦାରା ସାମାଜିକ ଅର୍ଥନୈତିକ ରାଜନୈତିକ ଉନ୍ନତିରେ ରେଡିଓର ପ୍ରମୁଖ ଭୂମିକା ରହିଛି। କର୍ମ ତତ୍ପର ଜୀବନରେ ମଣିଷ ପୂର୍ଣ୍ଣ ସମୟ ଦେଇ ଟିଭି ସାମ୍ନାରେ ବସିରହି ଦେଖିବାକୁ ପସନ୍ଦ କରିବା ପରିବର୍ତ୍ତେ ରେଡିଓକୁ ପାଖରେ ରଖି, ବଜାଇ, ଶୁଣି କାମ କରିବା ସହିତ ନିଜ ପସନ୍ଦ ମୁତାବକ କାର୍ଯ୍ୟକ୍ରମ ଶୁଣି ପାରୁଛି। ଏହା ସ୍ପଷ୍ଟଯେ, ମନପସନ୍ଦର ଟ୍ୟୁନ, ବ୍ୟକ୍ତିଙ୍କୁ କର୍ମ ଅନୁକୂଳ କରାଏ ଓ ବ୍ୟକ୍ତି ଆଗ୍ରହର ସହିତ ଶୀଘ୍ର କାର୍ଯ୍ୟ ସରିବାରେ ସକ୍ଷମ ହୁଏ। ତେବେ ରେଡିଓରେ ଭିନ୍ନ ଭିନ୍ନ ପ୍ରତିଭା, ମାର୍ଗଦର୍ଶକ, ଜନସାଧାରଣଙ୍କ ସହଭାଗୀତା ପ୍ରମାଣ କରେ ରେଡିଓ ଆଜିବି ପ୍ରତିଟି ହୃଦୟରେ ରହିଛି। ଏଣୁ ହୃଦୟର ସ୍ପନ୍ଦନ ଯେପରି ଚିରନ୍ତନ, ରେଡିଓର ସ୍ବର ମଧ୍ୟ ସେପରି ଚିର ସବୁଜ ହୋଇ ସଦା ରହିଥାଉ।

ରୋଜାଲିନ ପ୍ରଧାନ
କୋଣାର୍କ, ମୋ: ୭୩୭୭୧୮୪୬୯୦