କୋଲକାତା,୫ା୫(ପି.ଟି.): ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ମୁର୍ଶିଦାବାଦ ଦଙ୍ଗା ସମ୍ପର୍କିତ ରିପୋର୍ଟ ଦାଖଲ କରିଛନ୍ତି। କଠୋରପନ୍ଥୀକରଣ ରାଜ୍ୟ ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ସେ ରିପୋର୍ଟରେ ଦର୍ଶାଇଛନ୍ତି। ଦଙ୍ଗାର ତଦନ୍ତ ଲାଗି ଏକ ତଦନ୍ତ କମିଶନ ଗଠନ କରିବା ସହ ବାଂଲାଦେଶ ସୀମାକୁ ଲାଗିଥିବା ଉକ୍ତ ଜିଲାରେ କେନ୍ଦ୍ରୀୟ ବଳର ଆଉଟ୍ପୋଷ୍ଟ ଖୋଲିବା ପାଇଁ ରାଜ୍ୟପାଳ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୫୬ ବଳରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଜ୍ୟପାଳ ପ୍ରସ୍ତାବ ଦେଇ ନ ଥିଲେ ମଧ୍ୟ ରାଜ୍ୟରେ ସ୍ଥିତି ଅଧିକ ବିଗିଡ଼ିଲେ କେନ୍ଦ୍ର ପାଇଁ ଏହି ବ୍ୟବସ୍ଥା ଖୋଲା ରଖିବାକୁ କହିଛନ୍ତି। ମୁର୍ଶିଦାବାଦ ଦଙ୍ଗା ରାଜ୍ୟର ଅନ୍ୟ ଜିଲାଗୁଡ଼ିକୁ ବ୍ୟାପିବା ଆଶଙ୍କା କରି କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ ସାମ୍ବିଧାନିକ ବିକଳ୍ପ ସମ୍ପର୍କରେ ବିଚାର କରିବାକୁ ରାଜ୍ୟପାଳ ସୁପାରିସ କରିଛନ୍ତି।
ସୂଚନାଯୋଗ୍ୟ, ଓ୍ବକ୍ଫ ସଂଶୋଧନ ଆଇନକୁ ବିରୋଧ କରି ଗତ ମାସରେ ମୁର୍ଶିଦାବାଦରେ ବିକ୍ଷୋଭ ବେଳେ ତାହା ହିଂସାତ୍ମକ ରୂପ ନେଇଥିଲା। ଉକ୍ତ ଦଙ୍ଗାରେ ବାପପୁଅଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଥିଲେ। ଜାତୀୟ ରାଜପଥ-୧୨ରେ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା। ଦଙ୍ଗାରେ ବହୁ ସମ୍ପତ୍ତି ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ୪୦୦ରୁ ଊର୍ଦ୍ଧ୍ୱ ହିନ୍ଦୁ ଘରଦ୍ୱାର ଛାଡ଼ି ପଡୋଶୀ ମାଲଦା ଜିଲାରେ ଆଶ୍ରୟ ନେଇଥିଲେ। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ରାଜ୍ୟ ସରକାର ଇଣ୍ଟରନେଟ୍ ସେବା ବନ୍ଦ କରିବା ସହ ଦଙ୍ଗାଗ୍ରସ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଥିଲେ। ଘଟଣାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ପୋଲିସ ଏକ ୯ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଥିଲା। ସବୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବାକୁ କୋଲ୍କାତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।