ଭୋର ୫ ଟାରୁ ରାଧାପାଦ ଦର୍ଶନ: ସମାଗମ ହେବେ ଲକ୍ଷାଧିକ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ, ୨୮।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିରରେ ବର୍ଷକୁ ଥରେ ଅଁଳାନବମୀ ତିଥିରେ ଶ୍ରୀରାଧା ପାଦ ଦର୍ଶନ ଚଳିତ ମାସ ୩୧ ଓ ବଡ଼ ଏକାଦଶୀ ଆସନ୍ତା ନଭେମ୍ବର ମାସ ୨ ତାରିଖରେ ଅନୁଷ୍ଠିତ ହେବ। ପୁରୀ ଜିଲାର ଅନ୍ୟତମ ଗଣପର୍ବ ଅଁଳା ନବମୀରେ ଶ୍ରୀରାଧା ଓଡ଼ିଆଣୀ ବେଶରେ ଏବଂ ସାକ୍ଷୀଗୋପାଳ ଠାକୁର ଆକର୍ଷଣୀୟ ନଟବର ବେଶରେ ସଜ୍ଜିତ ହେବେ। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଲାଗିବ। ଯାତ୍ରା ସୁପରିଚାଳନା ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚସଖା ସ୍ମୃତି ଭବନରେ ସୋମବାର ୨ୟ ସମ୍ମନ୍ବୟ ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଭାଗ ପକ୍ଷରୁ ଭକ୍ତମାନଙ୍କ ଆବଶ୍ୟକ ସୁବିଧା ନିମନ୍ତେ ହାତକୁ ନିଆଯାଇଥିବା ଉନ୍ନୟନ କାମର ସମୀକ୍ଷା କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟତଃ ପରସ୍ପର ସମ୍ମନ୍ବୟ ରକ୍ଷା ଦିଗରେ ଯତ୍ନବାନ ହେବାକୁ ଜିଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପୁରୀ ଏସପି ପ୍ରତୀକ ସିଂହ ଯୋଗଦେଇ ସୁରକ୍ଷା ସହିତ ଶୃଙ୍ଖଳିତ ଦର୍ଶନ ପ୍ରତି ଗୁରୁତ୍ୱ ଆରୋପ କରିଥିଲେ। ପାର୍କିଂ ଓ ଗମନାଗମନ ନେଇ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସଠିକ ସୂଚନା ପ୍ରଦାନ କରାଯିବ ବୋଲି ଏସପି କହିଛନ୍ତି। ମୁଖ୍ୟ ଅତିଥି ଭାବରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗଦେଇ ଚଳିତ ବର୍ଷ ରାଧାପାଦ ଦର୍ଶନ ଏକ ନିଆରା ଢଙ୍ଗରେ ଆୟୋଜନ କରାଯାଇଛି ବୋଲି କହିଛନ୍ତି। ରାଧାପାଦ ଦର୍ଶନ ପାଇଁ ଆସୁଥିବା ସାଧାରଣ ଶ୍ରଦ୍ଧାଳୁ ଯେପରି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବିଧାୟକ ବୈଠକରେ ସୂଚନା ଦେଇଛନ୍ତି। ସେହିପରି ଦୁଇ କିଲୋମିଟର ପର୍ଯ୍ୟନ୍ତ ଲାଗୁଥିବା ଲମ୍ବା ଧାଡ଼ି କମାଇବାକୁ ପୂର୍ବରୁ କରାଯାଉଥିବା ୪ ଥାକିଆ ବ୍ୟାରିକେଡ଼କୁ ୧୧ ଥାକିଆ କରାଯାଇଛି।

 

Dharitri – The Largest & Most Trusted Odia Daily

\

Share
Tags: odisha