ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ ଗେଟ ଖୋଲିଦେଇ ପାଣି ଖାଲି କରି ଦେଇଛି। ଫଳରେ ଏହି ଡ୍ୟାମ ଉପରେ ନିର୍ଭର କରି ରବି ଧାନ ଚାଷ କରିଥିବା ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଘୁଙ୍ଗିନାଳ ଉପରେ ୧୯୭୨ମସିହାରେ ନିର୍ମାଣ ହୋଇଥିବା ଏହି ଡ୍ୟାମରୁ ଏକ କେନାଲ କରାଯାଇ ଏହାର ପାଣି ଘଣ୍ଟପାଲି, ବଙ୍କିଆ, ସୀତାପୁର, ଚୌକା, ମୁର୍ଷୁଣ୍ଢି ଆଦି ଗ୍ରାମର ଚାଷ ଜମିକୁ ଜଳ ସେଚନ କରାଯାଉଛି। ଏହା ସହିତ ଏହି ଡ୍ୟାମରୁ ଉଠା ଜଳ ସେଚନ ମାଧ୍ୟମରେ ୧୪ଟି ମୋଟର ଲଗାଇ ଲୁତୁରପଙ୍କ ଗ୍ରାମର ଚାଷ ଜମିରେ ଜଳସେଚନ କରାଯାଉଛି। ସବୁ ବର୍ଷ ପରି ଚଳିତ ରବିଋତୁରେ ମଧ୍ୟ ଲୁତୁରପଙ୍କ ଗ୍ରାମର ଚାଷୀମାନେ ଏହି ଡ୍ୟାମରୁ ଉଠାଜଳସେଚନ ମାଧ୍ୟମରେ ଧାନ ଚାଷ କରିବା ପାଇଁ ପ୍ରସ୍ତୁତି ହୋଇ ଚାଷ କରିଛନ୍ତି। ଏବେ ଧାନ ରୁଆ ସରିଲାଣି। ପାଣି ଛାଡି ଦେବା ପରେ ଏବେ ଡ୍ୟାମ ପୁରା ଶୁଖିଲା ପଡ଼ିଛି। ସକାଳୁ ଏହା ଦେଖିଲା ପରେ ଲୁତୁରପଙ୍କ ଗ୍ରାମର ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣି ନ ଥିବା ଅଭିଯୋଗ ହୋଇଛି। ଚଳିତ ରବିରେ ଲୁତୁରପଙ୍କ, ବାବୁପାଲି ଓ କଲନିପଡଡ଼ାର ପ୍ରାୟ ୩୨ଜଣ ଚାଷୀ ପ୍ରାୟ ଶହେ ଏକରରୁ ଅଧିକ ଜମିରେ ଧାନ ଚାଷ କରିଛନ୍ତି। ଏବେ ଡ୍ୟାମରେ ପାଣି ନ ଥିବାରୁ ଆଗକୁ ଚାଷ ନିଶ୍ଚୟ ବାଧାପ୍ରାପ୍ତ ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ଏମ୍‌ଆଇପି ଏସ୍‌ଡିଓ ସନ୍ତୋଷ ଦାସଙ୍କୁ ପଚାରିବାରୁ ତଳମୁଣ୍ଡରେ ଥିବା କେତେକ ଚେକ୍‌ଡ୍ୟାମକୁ ପାଣି ଦେବା ସହିତ ଡ୍ୟାମ ମରାମତି ପାଇଁ ଆମେ ଅଧଘଣ୍ଟା ପାଇଁ ପାଣି ଛାଡ଼ିବା ପାଇଁ କହିଥିଲୁ। ମାତ୍ର ଯେଉଁ କର୍ମଚାରୀ ପାଣି ଛାଡ଼ିବା ପାଇଁ ଯାଇଥିଲେ ସେ ଧାର୍ଯ୍ୟ ସମୟ ପରେ ଗେଟ ବନ୍ଦ କରି ନ ଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

 

Share