ପ୍ରବୀଣଙ୍କୁ ଝୁରୁଛି ଘରୋଇ ବସ ମାଳିକ ସଂଘ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଘରୋଇ ବସ ମାଳିକ ସଂଘ ପକ୍ଷରୁ ଶନିବାର ଅପରାହ୍ନରେ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ସ୍ୱର୍ଗତ ଖମାରୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ଘରୋଇ ବସ ମାଳିକ ସଂଘର ସଭାପତି ପ୍ରବୋଧ ରଥ ସଭାପତିତ୍ବ କରିଥିଲେ। ଏହି ସଭାରେ ସଂଘର ବରିଷ୍ଠ ସଦସ୍ୟ ମାନସ ରଞ୍ଜନ ଦାଶ,କାଶୀନାଥ ହୋତା,ବଟକୃଷ୍ଣ ବେହେରା ପ୍ରଧାନ,ସନ୍ଦୀପ ଦାଶ, ଧଵଲେଶ୍ଵର ମହାପାତ୍ର,ସତ୍ୟ ରଥ ପ୍ରମୁଖ ଯୋଗଦେଇ ଦିବଂଗତ ପ୍ରବୀଣ ଖମାରୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସଭାରେ ଅନ୍ୟାନ ସଦସ୍ୟ ଭାବେ ମୋହିତ ଦାସ,ଅରୁଣ ରଥ,ଅଭିଷେକ ହୋତା,ବିର ପ୍ରହରାଜ, ନରେଶ ପଟ୍ଟନାୟକ,ସନ୍ତୋଷ ମହାପାତ୍ର,ଜାମିନୀ ମାଝୀ,ସରୋଜ ଚନ୍ଦ୍ର ସାହୁ,ଅବଦୁଲ ରେହମାନ ଖାଁ,ଅମିତ କୁମାର ମୁଣ୍ଡ,ପ୍ରତୀକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ କଳାହାଣ୍ଡି ଘରୋଇ ବସ ମାଳିକ ସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀ (ମୁନା)ଙ୍କ ହୃଦ ଘାତରେ ପରଲୋକ ହୋଇଥିଲା। ଯାହାଫଳରେ ତାଙ୍କ ବିୟୋଗରେ ସଂଘର ନିଷ୍ପତ୍ତି କ୍ରମେ ଶନିବାର ସକାଳ ୬ ରୁ ରାତ୍ରି ୧୨ ଟା ଯାଏଁ କଳାହାଣ୍ଡି ଜିଲାରେ ଘରୋଇ ବସ ଚଲାଚଳ ବନ୍ଦ ରହିଥିଲା।