ମଦ ଛାଡ, ଜୀବନ ବଞ୍ଚାଅ: ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଜି.ଉଦୟଗିରି,୮/୯(ଚିନ୍ମୟ କୁମାର ସେଠୀ): ଲିଙ୍ଗାଗଡ଼ ପଞ୍ଚାୟତକୁ ମଦ ମୁକ୍ତ କରିବା ଉଦ୍ଦେଶ୍ୟରେ ଜନସାଧାରଣଙ୍କ ମଧ୍ୟରେ ଜନସଚେତନା ସୃଷ୍ଟି ପାଇଁ ମହିଳାମାନଙ୍କ ଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ସରପଞ୍ଚ ଅବଲାକର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ସ୍ବେଚ୍ଛାସେବୀ, ମହିଳାମାନଙ୍କ ସହିତ ଯୁବକଯୁବତୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ମହିଳାମାନେ ନାରା ଦେଇ ଗ୍ରାମରେ ପ୍ରଚାର କଲେ, ମଦ ଛାଡ, ଜୀବନ ବଞ୍ଚାଅ, ପରିବାର ରକ୍ଷା କର ଏଭଳି ନାରାରେ ଦେଶୀ ମଦ ବିରୋଧରେ ଆନ୍ଦୋଳନକୁ ତୀବ୍ର କରିଥିଲେ। ସରପଞ୍ଚ ଅବଲାକର ପ୍ରଧାନ କହିଛନ୍ତି, ମଦ ପିଇ ଯୁବପିଢ଼ି କାମଧନ୍ଦା ଛାଡ଼ି ବେକାର ହେଉଛନ୍ତି। ପରିବାର ମଧ୍ୟରେ ଅଶାନ୍ତି ବଢ଼ୁଛି । ମଦ ଅନେକ ପରିବାରକୁ ବିଚ୍ଛିନ୍ନ କରିଛି । ଏହି ଆନ୍ଦୋଳନ ମାଧ୍ୟମରେ ପଞ୍ଚାୟତକୁ ମଦ ମୁକ୍ତ କରିବାକୁ ଦୃଢ଼ ସଂକଳ୍ପ ଗ୍ରହଣ କରାଯାଇଛି । ଯଦି ଆଗାମୀ ଦିନମାନଙ୍କରେ ମଦ ବିକ୍ରି ବନ୍ଦ ନ ହେଉଛି, ତେବେ ଅନ୍ୟ ପଥ ଆପଣାଇ ପ୍ରତିବାଦ ତୀବ୍ର କରାଯିବ ବୋଲି ସୂଚନା ମିଳିଛି । ପଞ୍ଚାୟତ ସ୍ତରରେ ଏହି ପ୍ରୟାସ ସ୍ବାଗତଯୋଗ୍ୟ ବୋଲି ଅଞ୍ଚଳବାସୀ କହିଛନ୍ତି ।