ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ ଚାଷୀଙ୍କ ୯ ହଜାର ୫୨୦ କ୍ୱିଣ୍ଟାଲ ଧାନ ମଣ୍ଡିରେ ଦୀର୍ଘ ଦୁଇ ମାସ ଧାନ ପଡ଼ିରହିଛି। ପ୍ରବଳ ଶୀତ କାକରରେ ଚାଷୀମାନେ ଖୋଲା ଆକାଶ ତଳେ ଦିନରାତି ପାଳି କରି ଧାନକୁ ଜଗୁଛନ୍ତି। ରାଜ୍ୟରେ ଧାନ ମଣ୍ଡିରୁ ଉଠିବା ପ୍ରସଙ୍ଗକୁ ନେଇ ଗତମାସରେ ରାଜ୍ୟ ତଥା ସମସ୍ତ ବ୍ଲକ ଓ ସହରରେ ରାସ୍ତା ଅବରୋଧ କରି ୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଶିରୋଲ ଧାନ ମଣ୍ଡିର ୫୨ ଜଣଙ୍କ ୩ ହଜାର ୫୨୦ କ୍ୱିଣ୍ଟାଲ,ବାଲସି ଧାନ ମଣ୍ଡିରେ ୪୨ ଜଣ ଚାଷୀଙ୍କ ୧୬ ଶହ ଓ କାଣ୍ଡେଲ ଧାନ ମଣ୍ଡିରେ ୮୨ ଜଣଙ୍କ ୪ ହଜାର ରୁ ଉଦ୍ଧର୍‌ବ କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। କଳାହାଣ୍ଡି ଜିଲାପାଳ ୫ଟି ଧାନ ମିଲକୁ ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ମିଲର୍ସମାନେ କାହାରି କଥାକୁ କର୍ଣ୍ଣପାତ କରୁନାହାନ୍ତି। ସେହି ମିଲର୍ସମାନେ ମନମୁଖିରେ କ୍ୱିଣ୍ଟାଲ ପ୍ରତି ୬ରୁ ୭ କେଜି ଧାନ କଟ୍‌ନୀ ଛଟ୍‌ନୀ କରୁଛନ୍ତି। ଏତେ ଶୀତ କାକରରେ ଧାନକୁ ପଲିଥିନରେ ଚାଷୀମାନେ ଘୋଡ଼େଇ କରି ରଖିଛନ୍ତି। ରାଜ୍ୟ ସରକାର ଧାନ ଉଠାଇବାରେ ବିଳମ୍ବକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି। ଯଥାଶୀଘ୍ର ଏହି ଶିରୋଲ, ବାଲସି ଓ କାଣ୍ଡେଲ ଧାନମଣ୍ଡିରୁ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି। ଶିରୋଲ ଧାନମଣ୍ଡିରେ କେବଳ ଶେଡ଼ ନୂତନ ଭାବେ ନିର୍ମାଣ ହୋଇଛି। କିନ୍ତୁ ବାଲସି ଓ କାଣ୍ଡେଲ ଧାନମଣ୍ଡିରେ ଶେଡ୍‌ ନ ଥିବାରୁ ଶୀତ କାକରରେ ଚାଷୀମାନେ ନାହିଁ ନ ଥିବାର ହଇରାଣ ହେଉଛନ୍ତି। ଏ ସଂକ୍ରାନ୍ତରେ କାଣ୍ଡେଲ ପ୍ୟାକ୍ସ ସମ୍ପାଦକ ଯଶୋବନ୍ତ ବାଗଙ୍କୁ ପଚାରିବାର ୫ରୁ ୧୦ ଦିନ ମଧ୍ୟରେ ଉଠିବ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily