Categories: Home Leftଖେଳ

କ୍ୱାର୍ଟର ଫାଇନାଲରେ ଚେନ୍ନାଇନ

ଗୁଆହାଟୀ, ୧୫।୮: ଚେନ୍ନାଇନ୍‌ ଏଫ୍‌ସି ପ୍ରଥମ ଦଳଭାବେ ଚଳିତ ଡୁରାଣ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ନକ୍‌ଆଉଟରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ଗ୍ରୁପ୍‌ ‘ଏ’ର ଏକ ମ୍ୟାଚରେ ଏହି ଦଳ ୩-୦ ଗୋଲରେ ନେପାଳର ତ୍ରିଭୁବନ ଆର୍ମି ଏଫ୍‌ସିକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ ଯାଇଛି। ସ୍ଥାନୀୟ ଇନ୍ଦିରାଗାନ୍ଧୀ ଆଥଲେଟିକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚଟି ସମ୍ପୂର୍ଣ୍ଣ ଏକପାଖିଆ ହୋଇ ଯାଇଥିଲା। ଚେନ୍ନାଇନ୍‌ ପକ୍ଷରୁ ଫାରୁଖ ଚୌଧାରୀ ୨୨ତମ ମିନିଟରେ ପ୍ରଥମ ଗୋଲଟି ଦେଇ ଦଳକୁ ଅଗ୍ରଣୀ କରିଥିଲେ। ତ୍ରିଭୁବନ ଆର୍ମି ଏଫ୍‌ସି ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ପାଇଁ ୪୦ତମ ମିନିଟରେ ଚେନ୍ନାଇନ୍‌କୁ ପେନାଲ୍ଟି କିକ୍‌ ସୁଯୋଗ ମିଳିଥିଲା। ରହିମ ଅଲୀ ଏହାକୁ ଗୋଲରେ ପରିଣତ କରି ଦଳର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ। ମ୍ୟାଚର ଶେଷ ପର୍ଯ୍ୟାୟରେ ଅର୍ଥାତ୍‌ ୮୪ତମ ମିନିଟରେ ଦଳ ପକ୍ଷରୁ ତୃତୀୟ ଗୋଲଟି ସ୍କୋର କରିଥିଲେ ରାଫାଲ କ୍ରିଭେଲାରୋ। ଦ୍ୱିତୀୟାର୍ଦ୍ଧରେ ତ୍ରିଭୁବନ ଆର୍ମି ଏଫ୍‌ସି ଦଳ କିଛି ପରିମାଣରେ ଚ୍ୟାଲେଞ୍ଜ ଦେଇଥିଲେ ହେଁ ଚେନ୍ନାଇନ୍‌ ରକ୍ଷଣଭାଗ ଭେଦକରି ଗୋଲ ପରିଶୋଧ କରିପାରି ନ ଥିଲା। ହାଇଦ୍ରାବାଦ୍‌ ଏଫ୍‌ସି ବିପକ୍ଷରେ ବିଜୟୀ ହୋଇଥିବା ଦଳକୁ ଏହି ମ୍ୟାଚରେ ଅପରିବର୍ତ୍ତିତ ରଖିଥିଲେ ଚେନ୍ନାଇନ୍‌ ଏଫ୍‌ସି ମୁଖ୍ୟ କୋଚ୍‌ ଓଏମ କୋଲେ।