ଟାର୍ଗେଟରେ ପୁଟିନ୍‌ଙ୍କ ପରିବାର

ଓ୍ବାଶିଂଟନ୍‌, ୭ା୪: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ ଏବଂ ବୁଚା ଗଣହତ୍ୟା ପାଇଁ ରୁଷିଆକୁ ଦାୟୀ କରି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଦୁଇ ଝିଅ ଓ ରୁଷୀୟ ବ୍ୟାଙ୍କଗୁଡ଼ିକ ଉପରେ ଆମେରିକା କଟକଣା ସହ ଜରିମାନା ଲଗାଇଛି। ରୁଷିଆର ଦୁଇ ପ୍ରମୁଖ ବ୍ୟାଙ୍କ ସବରବ୍ୟାଙ୍କ ଏବଂ ଆଲ୍‌ଫା ବ୍ୟାଙ୍କରୁ ଅର୍ଥ ଆମେରିକା ଫାଇନାନ୍ସିଆଲ ସିଷ୍ଟମ ଦେଇ କାରବାର ହେବା ଉପରେ କଟକଣା ଲଗାଯାଇଛି। ଏଥିସହ ଏହି ଦୁଇ ବ୍ୟାଙ୍କ୍‌ ସହ ଆମେରିକା ବ୍ୟବସାୟୀମାନେ କାରବାର କରିପାରିବେ ନାହିଁ ବୋଲି ଜୋ ବାଇଡେନ୍‌ଙ୍କ ସରକାର ଘୋଷଣା କରିଛନ୍ତି।
ଝିଅ ମାରିୟା ପୁଟିନା ଏବଂ କ୍ୟାଟେରିନା ଟିଖୋନୋଭାଙ୍କ ସମେତ ରୁଷିଆ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ୍‌, ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍‌ଙ୍କ ପରିବାର, ରୁଷିଆ ସୁରକ୍ଷା ପରିଷଦର ସଦସ୍ୟଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ଡିମିଟ୍ରି ମେଡ୍‌ଭେଡେଭ୍‌ଙ୍କ ଉପରେ ମଧ୍ୟ ଆମେରିକା କଟକଣା ଲଗାଇଛି। ଏହାଦ୍ୱାରା ପୁଟିନ୍‌ଙ୍କ ପରିବାର ଏବଂ ଅନ୍ୟମାନେ ସମ୍ପୂର୍ଣ୍ଣ ଭାବେ ଆମେରିକାର ଫାଇନାନ୍ସିଆଲ ସିଷ୍ଟମରୁ ବାଦ୍‌ ପଡ଼ିବେ। ଏଥିସହ ଆମେରିକାରେ ଥିବା ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ। ବୁଚା ଗଣହତ୍ୟା ରୁଷିଆକୁ ମହଙ୍ଗା ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

 

Share