ନୂଆଦିଲ୍ଲୀ,୧୩ା୧୨: ତୁର୍କମେନିସ୍ତାନରେ ଶୁକ୍ରବାର ଏକ ଅନ୍ତର୍ଜାତୀୟ ଫୋରମ୍ର ୩୦ତମ ବାର୍ଷିକୀ ପାଳନ ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିଲା। ପୁଟିନ୍ ସେଠାରେ ଶରିଫ୍ଙ୍କୁ ୪୦ ମିନିଟ୍ରୁ ଊର୍ଦ୍ଧ୍ୱ ସମୟ ଅପେକ୍ଷା କରାଇବା ପରେ ସେ ଧୈର୍ଯ୍ୟହରା ହୋଇପଡ଼ିଥିଲେ। ସେହି ସମୟରେ ପୁଟିନ୍ଙ୍କର ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ଙ୍କ ସହ ରୁଦ୍ଧଦ୍ୱାର ବୈଠକ ଚାଲିଥିଲା। ଶରିଫ୍ ପାଖ ପ୍ରକୋଷ୍ଠରେ ବହିର୍ବ୍ୟାପାର ମନ୍ତ୍ରୀ ଇଶାକ ଦର୍ଙ୍କ ସହ ୪୦ ମିିନିଟ୍ ଅପେକ୍ଷା କରିବା ପରେ ବିନା ଡାକରାରେ ପୁଟିନ୍ ଆଲୋଚନା କରୁଥିବା କକ୍ଷ ମଧ୍ୟକୁ ଯାଇ ମାତ୍ର ୧୦ ମିନିଟ୍ ପରେ ବାହାରି ଆସିଥିଲେ। ଉକ୍ତ ମୁହୂର୍ତ୍ତର ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ଅନ୍ଲାଇନରେ ଏହାକୁ ପରିହାସ କରାଯାଇଛି। ସୋସିଆଲ୍ ମିଡିଆ ୟୁଜରମାନେ ଏହାକୁ ଏକ କୂଟନୈତିକ ତ୍ରୁଟି କହିଥିବାବେଳେ ଜଣେ Xରେ ଲେଖିଛନ୍ତି, ‘ଭିକାରୀମାନଙ୍କ ପାଇଁ ସମୟ ଦେବାକୁ ପୁଟିନ୍ ଚାହାନ୍ତି ନାହିଁ’। ଏପରିକି ଟ୍ରମ୍ପ୍ ଭିକାରୀମାନଙ୍କ ସହ ଏଭଳି କରିଥିଲେ ବୋଲି ଆଉ ଜଣେ ଲେଖିଛନ୍ତି।