ପରେଡ୍‌ ବେଳେ ଛୋଟାଉଥିଲେ ପୁଟିନ୍‌

ମସ୍କୋ, ୧୧ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କ୍ୟାନ୍‌ସର ଓ ପାର୍କିନସନ୍‌ସ ରୋଗରେ ପୀଡ଼ିତ ଥିବାନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକାଧିକ ରିପୋର୍ଟ ପ୍ରକାଶ ପାଇବା ପରେ ବିଜୟ ଦିବସ ପରେଡରେ ସେ ଠିକ୍‌ ଭାବେ ଚାଲିପାରୁ ନ ଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋମବାର ରୁଷିଆର ବିଜୟ ଦିବସ ପାଳନବେଳେ ପୁଟିନ୍‌ ଗୋଡ଼ରେ ସବୁଜ ରଙ୍ଗର କପଡ଼ା ଗୁଡ଼ାଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭେଟେରାନ୍‌ ଓ ବରିଷ୍ଠ ଅଧିକାରୀଙ୍କ ଗହଣରେ ବସିଥିବା ଦେଖିବାକୁ ମିଳିଥିଲା। ଏଥିସହ ସେ କଳାରଙ୍ଗର ବମ୍ବର ଜ୍ୟାକେଟ୍‌ ପିନ୍ଧି ବାରମ୍ବାର କାଶୁଥିଲେ। ଅନ୍ୟମାନଙ୍କ ଅପେକ୍ଷା ପୁଟିନ୍‌ ଅଧିକ ମୋଟା କପଡ଼ାରେ ନିଜ ଶରୀରକୁ ଢାଙ୍କି ରଖିଥିବା ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତା ମାସରେ ପୁଟିନ୍‌ ତାଙ୍କ କ୍ୟାନ୍‌ସର ଚିକିତ୍ସା ନିମନ୍ତେ ଅସ୍ତ୍ରୋପଚାର କରାଇପାରନ୍ତି ବୋଲି କୁହାଯାଉଛି। ସେହିପରି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ହୋଇଥିବା ଆଉ ଏକ ଭିଡିଓରେ ୧୨ମିନିଟ୍‌ର ବୈଠକରେ ପୁଟିନ୍‌ ଟେବୁଲର ଏକ କୋଣକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି।