ଧୁମଧାମରେ ପାଳନହେଲା ପୁଷ୍‌ପୁନି

ନୂଆପଡ଼ା,୪ା୧(ମକାରୁ ବେମାଲ): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ପୁଷ୍‌ପୁନି ଶନିବାର ଜିଲାରେ ଧୁମଧାମରେ ପାଳିତ ହୋଇଯାଇଛି। ଏଥିପାଇଁ ସହରଠୁ ଗ୍ରାମ ଉତ୍ସବମୁଖର ହୋଇଉଠିଥିଲା। ଛୋଟ ପିଲାଠାରୁ ନେଇ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ହାତରେ ବ୍ୟାଗ୍‌ ଧରି ଘରକୁ ଘର ବୁଲି ଛେରଛେରରା ମାଗୁଥିଲେ। ଲୋକେ ଧାନ, ମାଣ୍ଡିଆ, କୋଦୋ, ଚାଉଳ, ଟଙ୍କା ପଇସା ଦେଉଥିଲେ। ଏହି ପରମ୍ପରା କେଉଁ କାଳରୁ ଚାଲିଆସିଛି ଜଣାନାହିଁ। ହେଲେ ବୟୋଜ୍ୟେଷ୍ଠଙ୍କ କହିବା ଅନୁଯାୟୀ, ଏହି ପର୍ବ ରାଜରାଜୁଡ଼ା ସମୟରୁ ଚାଲିଆସିଛି। ପ୍ରଜାମାନେ ରାଜା ଘରେ ବର୍ଷଯାକ ମୂଲ ଲାଗି ଧାନ ଅମଳ ସରିଲା ପରେ ପୌଷ ପୂର୍ଣ୍ଣିମାରେ ଛୁଟି ହୋଇଥାଏ। ସେହିଦିନ ରାଜା ବା ମାଲିକ କିଛି ହାତ ଖର୍ଚ୍ଚ ଦେଇଥାନ୍ତି। ଏଥିରେ ପରିବାର ଲୋକ ଖୁସି ମନାଇଥାନ୍ତି। ସେମାନେ ଆହୁରି କହିଛନ୍ତି, ଜମିର ଶେଷ ଅମଳ ଧାନ ପୁଷ୍‌ପୁନି ଦିନ ଛେରଛେରରା ଆକାରରେ ଲୋକଙ୍କୁ ପ୍ରଦାନ କରାଯାଇଥାଏ। ଏହାସହ ଗାଁ ଝାକର, ମକଡଦମ, କତୁଆଲ ଓ ବୟୋଜ୍ୟେଷ୍ଠଙ୍କୁ ପଡ଼ି ଆକାରରେ ଧାନ ସହ ନୂତନ ବସ୍ତ୍ର ଓ ଅନ୍ୟ ଜିନିଷପତ୍ର ଦିଆଯାଇଥାଏ। ଧାନ ଅମଳ ପରେ ଚାଷୀ ଚାଷ କାର୍ଯ୍ୟରୁ ମୁକ୍ତ ହୋଇଥିବାରୁ ପୁଷ୍‌ପୁନି ପାଳନ କରି ଘରେ ଘରେ ମଣ୍ଡାପିଠା, ଖିରିପୁରି ସହ ଭୋଜିଭାତର ଆସର ଜମିଥାଏ ା ଏହିଦିନକୁ ଚାଷୀମାନେ ହର୍ଷ ଉଲ୍ଲାସରେ ପାଳନକରି ପରସ୍ପର ମଧ୍ୟରେ ମିଳାମିଶା କରିଥାନ୍ତି। ନୂଆପଡ଼ା ଜିଲାର କୋମନା, ଖଡ଼ିଆଳ, ବୋଡେନ, ସିନାପାଲି ବ୍ଲକ୍‌ରେ ଲୋକେ ଏହି ପର୍ବକୁ ବହୁଳ ଭାବରେ ପାଳନ କରନ୍ତି ା ନୂଆପଡ଼ା ବ୍ଲକ୍‌ ଛତିଶଗଡ଼କୁ ଲାଗି ରହିଥିବାରୁ ଛତିଶଗଡ଼ୀ ପରମ୍ପରାକୁ ଅଧିକ ପାଳନକରି ପୁଷ୍‌ପୁନି ପର୍ବ ପାଳନରେ ସେତେ ଉତ୍ସାହ ନ ଥିବା ଦେଖାଯାଉଛି। ଏହି ପର୍ବ ୩ ଦିନ ପର୍ଯ୍ୟନ୍ତ ଚାଲିବ ା

Dharitri – Odisha’s No.1 Odia Daily

Share