ପୁରୁଷୋତ୍ତମପୁରରେ ବିଭିନ୍ନ ବଜାର, ବସ୍‌ଷ୍ଟାଣ୍ଡକୁ ସିଲ କଲା ଏନ୍‌ଏସି ପ୍ରଶାସନ

ପୁରୁଷୋତ୍ତମପୁର, ୨୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁରୁବାର ବିଭିନ୍ନ ବଜାରକୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ବଡବଜାର, ପରିବା ମାର୍କେଟ ଓ ବସ୍‌ଷ୍ଟାଣ୍ଡରେ ପ୍ରବଳ ଜନଗହଳି ହେଉଥିବା ବେଳେ ଲୋକେ ସାମାଜିକ ଦୂରତାକୁ ଲୋକେ ମାନୁ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଗୁରୁବାର ଏନଏସି ନିର୍ବାହୀ ଅଧିକାରୀ ଏ. ନାଗେଶ୍ବର ରାଓ ବିଭିନ୍ନ ସ୍ଥାନରେ ବ୍ୟାରିକେଟ ନିର୍ମାଣ କରି ଉକ୍ତ ବଜାରକୁ ସିଲ୍‌ କରିଦେଇଥିବା ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ବଜାର ମଧ୍ୟରେ କୌଣସି ଗାଡିମଟର ଚଳାଚଳକୁ ମଧ୍ୟ ସମ୍ପୂର୍ଣ୍ଣ ରୁପେ ରୋକୋ ଲଗାଯାଇଛି। ଆଉ ଏଥିପାଇଁ ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି। ଏହା ସତ୍ତ୍ୱେ ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଠାରୁ ପୋଲିସ ଜରିମାନା ଆଦାୟ କରୁଥିବା ସୂଚନା ରହିଛି। ଏଭଳି ପଦକ୍ଷେପ ଦ୍ୱାରା ଅମାନିଆ ଓ ଜନଗହଳିକୁ ନିୟନ୍ତ୍ରଣ କରାଯାଇ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।