ପୁରୁଷୋତ୍ତମପୁର,୦୨।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଶବଦାହ କରିବା ସମସ୍ୟା ଲୋକଙ୍କ ଲାଗି ଚିନ୍ତାର ବଡ କାରଣ ପାଲଟିଛି। ଏଥିଲାଗି ଏନଏସି ପ୍ରଶାସନ, ଅଧ୍ୟକ୍ଷ କି ଏମ୍ପି, ବିଧାୟକ ଓ ଜନପ୍ରତିନିଧିମାନେ କେହି ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି। ଏହା ସ୍ଥାନୀୟ ଅଞ୍ଚଳରେ ଉଦବେଗର ବିଷୟ ପାଲଟିଛି।
୧୪ଟି ୱାର୍ଡ ବିଶିଷ୍ଟ ଏହି ଏନଏସିର ଆରମ୍ଭ ଓ ଶେଷ କନକା ଓ କୁମାରୀ ମୌଜାରେ ଶବଦାହ ଗ୍ରୁହ ରହିଥିବାବେଳେ ପୁରଷୋତ୍ତମପୁର ମୌଜାର ସହର ମଧ୍ୟଭାଗରେ ରହିଥିବା ୱାର୍ଡ ନଂ ୭,୮,୯,୧୦,୧୧ର ବାସିନ୍ଦାଙ୍କ ଲାଗି ଶବଦାହ ଓ ମୃତ ବ୍ୟକ୍ତିଙ୍କ ଶୁଦ୍ଧିକାର୍ଯ୍ୟ ଲାଗି କ୍ରିୟା ତୁଠଟିଏ ମଧ୍ୟ ନାହିଁ। ଏହି ୪ଟି ୱାର୍ଡର ଲୋକେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି। ଶବକୁ କାନ୍ଦେଇ କାନ୍ଦେଇ ବହୁଦୂରତା ବିଶିଷ୍ଟ କନକା ଓ କୁମାରୀ ମୌଜା ଶ୍ମଶାନଘାଟକୁ ନେବାରେ ଦହଗଞ୍ଜ ହୋଇପଡୁଛନ୍ତି । କପିଳେଶ୍ବର ମନ୍ଦିର ସାମ୍ନା ତୋରାବଣ ପାଶର୍ବ ଋଷିକୁଲ୍ୟା ନଦୀପଠାରେ ଗତକିଛିବର୍ଷତଳେ ନିର୍ମାଣ କରାଯାଇଥିବା ଶବଦାହ ଗୃହକୁ କିଛି ବ୍ୟକ୍ତି ବେଆଇନ ଭାବରେ କବଜା କରିନେଇ ତାହା ନିକଟରେ ଗୃହ ନିର୍ମାଣ କରିଥିବା ହେତୁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି। ଏଥିପ୍ରତି ମୁଖ୍ୟ ଏନଏସି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ପ୍ରଶାସନ ସମ୍ପୂର୍ଣ୍ଣ ଉଦାସୀନତା ସାଜି ବସି ରହିଛି । ଶବଦାହ ଲାଗି କେବଳ ଋଷିକୁଲ୍ୟା ନଦୀ ହିଁ ଲୋକଙ୍କ ଭରସା ପାଲଟିଥିବା ବେଳେ ବର୍ଷା ହେବା ଓ ନଦୀରେ ପାଣିଆସିଲେ ଶବଟିଏ ଦାହ କରିବା, ଶୁଦ୍ଧିକାର୍ଯ୍ୟ କରିବା ଓ ମୃତବ୍ୟକ୍ତିଙ୍କ ଅସ୍ଥିମାନ ରଖିବାରେ ଅସୁବିଧା ହେଉଛି। ଏଣୁ ଏଥିପ୍ରତି ସରକାର ଓ ଗଞ୍ଜାମ ଜିଲାପାଳ ଦୃଷ୍ଟି ଦେଇ ଶ୍ମଶାନ ଗୃହ ଓ କ୍ରିୟାତୁଠ ଗ୍ରୁହ ନିର୍ମାଣ ଲାଗି ଜନସାଧାରଣ ଦାବି କରିଛନ୍ତି।