ଶ୍ରୀକ୍ଷେତ୍ରରେ ଧୁମ୍‌ଧାମ୍‌ରେ ଚାଲିଛି ସାହିଯାତ: ମନମୋହୁଛି ସମରକଳା

ପୁରୀ, ୮ା୪(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ସାହିଯାତ ଧୁମ୍‌ଧାମ୍‌ରେ ଚାଲିଛି। ପ୍ରଥମ ଦିବସ ରବିବାର କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମ ଜନ୍ମନୀତି ପ୍ରସ୍ତାବ ଆଗତ କରାଯିବା ସହ ଶ୍ରୀରାମ ଜନ୍ମନୀତି ସମ୍ପନ୍ନ ହୋଇଥିଲା। ସୋମବାର ଦ୍ୱିତୀୟ ଦିବସରେ ଯଜ୍ଞରକ୍ଷା ସହ ଖର, ଦୂଷଣ (ନାକ, କାନ) ବଧ ନୀତି ସମ୍ପନ୍ନ ହୋଇଛି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପରେ ଦକ୍ଷିଣୀଘରୁ ଶ୍ରୀରାମଚନ୍ଦ୍ର ଏବଂ ଲକ୍ଷ୍ମଣଙ୍କ ପ୍ରତିମୂର୍ତ୍ତିକୁ ମହାଜନ ସେବକମାନେ ଭିତରକୁ ବିଜେକରି ରତ୍ନସିଂହାସନ ନିକଟକୁ ନେଇଥିଲେ। ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣି ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ପ୍ରଦାନ କରିଥିଲେ। ପରେ ମହାଜନ ସେବକ ଠାକୁରଙ୍କୁ ନେଇ ମୁକ୍ତିମଣ୍ଡପ ନିକଟ ପାଲିଙ୍କିରେ ବିଜେ କରାଇଥିଲେ।
ସାହିଯାତ ନୀତି ନିମନ୍ତେ ଠାକୁର ପାଲିଙ୍କିରେ ଶ୍ରୀଜଗନ୍ନାଥବଲ୍ଲଭକୁ ବିଜେ କରିଥିଲେ। ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ଜଗନ୍ନାଥବଲ୍ଲଭ ପରିସରରେ ପହଞ୍ଚିବା ପରେ ଠାକୁରଙ୍କୁ ମଠର ଖଟଶେଯକୁ ବିଜେ କରାଯାଇଥିଲା।
ସେହିପରି ଅନ୍ୟପଟେ ହରଚଣ୍ଡୀସାହି ଆଖଡ଼ା ପକ୍ଷରୁ ଯଜ୍ଞରକ୍ଷା, ଖର, ଦୂଷଣ(ନାକ, କାନ)ଙ୍କ ବଧନୀତି ପ୍ରସ୍ତାବ ଆଗତ କରାଯାଇଥିଲା। ହରଚଣ୍ଡୀ ସାହି ଆଖଡ଼ାରୁ ରାମାୟଣର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ଚରିତ୍ରମାନେ ଆସି ଜଗନ୍ନାଥବଲ୍ଲଭ ପରିସରରେ ପହଞ୍ଚି କଳାକୌଶଳ ଏବଂ ନୃତ୍ୟ ପ୍ରଦର୍ଶନ କରିଥିଲେ।
ପରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଦ୍ୱାରା ସମସ୍ତ ନୀତି ସମ୍ପାଦନ କରାଯାଇଥିଲା। ଶୀତଳ ଭୋଗ ମଣୋହି ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥିଲେ। ମାଟିମଣ୍ଡପ ସାହି ଉତ୍ତରକାଳୀ ଆଖଡ଼ାରୁ ନିଶାଣ ବାହାରି ଦକ୍ଷିଣକାଳୀ ମନ୍ଦିରରେ ପହଞ୍ଚିବା ସହ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା।
ମାଟିମଣ୍ଡପ ସାହି ଉତ୍ତରକାଳୀ ଆଖଡ଼ା ଓ ଆଠସାହି ଆଖଡ଼ାର ମୁରବିମାନେ ମାଟିମଣ୍ଡପ ସାହିର ବାଦୀ ବା ବନ୍ଧୁ ସାହି କାଳିକାଦେବୀ ସାହିକୁ ଯାତ ନେଇ ଯାଇଥିଲେ। ଯାତରେ ନବଶିରା ହନୁମାନ, କାଳିମେଢ଼, ନାଗା ସହ ବିଭିନ୍ନ ପ୍ରକାର ସମରକଳା ପ୍ରଦର୍ଶନକରି ମାଟିମଣ୍ଡପ ସାହିକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଶୋଭାଯାତ୍ରାରେ ଆଠସାହି ଆଖଡ଼ା ସଭାପତି ଓ ସମ୍ପାଦକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସାହିବାସିନ୍ଦା ସାହିଯାତର ପାରମ୍ପରିକ ନୃତ୍ୟ ଓ ସମରକଳା ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।