KL Rahul captain of Kings XI Punjab celebrates his fifty, half century during match 36 of season 13 of the Dream 11 Indian Premier League (IPL) between the Mumbai Indians and the Kings XI Punjab held at the Dubai International Cricket Stadium, Dubai in the United Arab Emirates on the 18th October 2020. Photo by: Ron Gaunt / Sportzpics for BCCI
ଦୁବାଇ,୧୯।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ରବିବାର ଅନୁଷ୍ଠିତ ଏକ ରୋମାଞ୍ଚକ ଡବଲ ସୁପର ଓଭର ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ରୋମାଞ୍ଚକଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମ ସୁପର ଓଭରରେ ଯଶପ୍ରୀତ ବୁମ୍ରାଙ୍କ ଓଭରରୁ ପଞ୍ଜାବ ୨ ଉଇକେଟ ହରାଇ ମାତ୍ର ୫ ରନ କରିଥିଲା। ଜବାବରେ ମୁମ୍ବାଇ ମହମ୍ମଦ ସାମିଙ୍କ ଓଭରରୁ ସମାନ ୫ ରନ କରିବାରୁ ଆଉଏକ ସୁପର ଓଭରକୁ ମ୍ୟାଚ ଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସାମିଙ୍କ ଓଭରରୁ ୧୧ ରନ କରିଥିଲା। ଜବାବରେ ପଞ୍ଜାବ ଟ୍ରେଣ୍ଟ ବୋଲ୍ଟଙ୍କ ଓଭରର ୪ ବଲ୍ରୁ ୧୫ ରନ ସଂଗ୍ରହ କରି ନେଇଥିଲା।
ନିର୍ଦ୍ଧାରିତ ଓଭରରେ ଉଭୟ ମୁମ୍ବାଇ ଓ ପଞ୍ଜାବ ୧୭୬ ରନ ଲେଖାଏ କରିବାରୁ ଫଳାଫଳ ପାଇଁ ସୁପର ଓଭରର ସହାୟତା ନିଆ ଯାଇଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ୩୮ ରନରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଅଧିନାୟକ ରୋହିତ ଶର୍ମା ୯, ଇନ୍ଫର୍ମ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିବା ପୁର୍ବରୁ ଏବଂ ଇଶାନ କିଶନ ୭ ରନ କରି ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ଡିକକ ଓ କ୍ରୁନାଲ ପାଣ୍ଡ୍ୟା ୫୮ ରନ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। କ୍ରୁନାଲ ୩୦ ବଲରୁ ୪ ଚୌକା ଓ ୧ ଛକା ସହ ୩୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୮ ରନ କରିପାରି ଥିଲେ। ତେବେ କ୍ୱିଣ୍ଟନ ଡିକକ୍ (୫୩, ରନ, ୪୩ ବଲ, ୩ ଚୌକା, ୩ ଛକା)ଙ୍କ ଅର୍ଦ୍ଧଶତକ ହାସଲ ସହ କିରନ ପୋଲାର୍ଡଙ୍କ ୧୨ ବଲ୍ରୁ ଦ୍ରୁତ ୩୪(୧ ଚୌକା, ୪ ଛକା) ଓ କୁଲ୍ଟର ନାଇଲ୍ଙ୍କ ୧୨ ବଲ୍ରୁ ୨୪ (୪ ଚୌକା) ରନ ସ୍କୋର କରିବାରୁ ମୁମ୍ବାଇ ସ୍କୋର ୨୦ ଓଭରରେ ୧୭୬ରେ ପହଞ୍ଚତ୍ ପାରିଥିଲା। ପଞ୍ଜାବ ତରଫରୁ ମହମ୍ମଦ ସାମି ଓ ଅର୍ଶଦୀପ ସିଂ ୨ଟି ଲେଖାଏ ଏବଂ କ୍ରିସ୍ ଜୋର୍ଡାନ ଓ ରବି ବିଷ୍ଣୋଇ ଗୋଟିଏ କରି ଉଇକେଟ ହାସଲ କରିଥିଲେ।
ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରିଥିବା ପଞ୍ଜାବ ପକ୍ଷରୁ ଅଧିନାୟକ ଲୋକେଶ ରାହୁଲ ଖେଳିଥିଲେ ଦର୍ଶନୀୟ ଇନିଂସ। ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଦଳକୁ ବିପଦରେ ପକାଇଥିଲେ। ସ୍କୋର ୩୩ ହୋଇଥିବାବେଳେ ଇନ୍ଫର୍ମ ଓପନର ମୟଙ୍କ ଅଗ୍ରଓ୍ବାଲ(୧୧ ରନ)ଆଉଟ ହୋଇଥିଲେ। ତୃତୀୟ ସ୍ଥାନରେ ଆସିଥିବା କ୍ରିସ୍ ଗେଲ୍ ତିନୋଟି ଦର୍ଶନୀୟ ଶଟ୍ ଖେଳିଥିଲେ ହେଁ ୨୧ ବଲ୍ରୁ ୨୪(୧ ଚୌକା, ୨ ଛକା) ରନ କରି ପାରିଥିଲେ। ମଧ୍ୟଭାଗରେ ନିକୋଲାସ ପୁରନ ଦର୍ଶନୀୟ ଷ୍ଟ୍ରୋକ୍ ଖେଳିଥିଲେ ହେଁ ୧୨ ବଲ୍ରୁ ୨ଟି ଲେଖାଏ ଚୌକା ଓ ଛକା ସହିତ ୨୪ ରନ କରିଥିବାବେଳେ ଯଶପ୍ରୀତ୍ ବୁମ୍ରାଙ୍କ ଶିକାର ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ବେଲ(୦) ପୁଣି ନିରାଶ କରିଥିଲେ। ୧୬ ବଲ୍ରୁ ୨୪ ରନ ଥିବାବେଳେ ଯଶପ୍ରୀତ୍ ବୁମ୍ରାଙ୍କ ୟର୍କରରେ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ ରାହୁଲ। ସେ ୫୧ ବଲ୍ରୁ ୭ ଚୌକା ଓ ୩ ଛକା ସହ ୭୭ ରନ କରିଥିଲେ। ତାଙ୍କ ବିଦାୟ ଦଳପାଇଁ ଶକ୍ତଧକ୍କା ସଦୃଶ ହୋଇଥିଲା। ଶେଷ ଭାଗରେ ଦୀପକ ହୁଦା ଓ କ୍ରିସ୍ ଜୋର୍ଡାନ ଜୋରଦାର ଉଦ୍ୟମ କରିଥିଲେ ହେଁ ମ୍ୟାଚ ଟାଇ ହୋଇ ଯାଇଥିଲା। ଶେଷ ବଲ୍ରୁ ୨ ରନ ଆବଶ୍ୟକ ଥିବାବେଳେ ଜୋର୍ଡାନ ୧ ରନ ନେଇ ପାରିଥିଲେ। ମୁମ୍ବାଇ ବୋଲରଙ୍କ ମଧ୍ୟରେ ବୁମ୍ରା ୩ଟି ଏବଂ ରାହୁଲ ଚହର ୨ଟି ଉଇକେଟ ନେଇଥିଲେ। ହୁଦା ୧୬ ବଲ୍ରୁ ୨୩(୧ ଚୌକା, ୧ ଛକା) ଓ ଜୋର୍ଡାନ ୮ ବଲ୍ରୁ ୧୩ ରନରେ ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର:
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୬/୬ (ଡିକକ୍- ୫୩, କ୍ରୁନାଲ- ୩୪, ପୋଲାର୍ଡ- ୩୪*, କୁଲ୍ଟର ନାଇଲ- ୨୪*, ସାମି- ୨/୩୦, ଅର୍ଶଦୀପ- ୨/୩୫ , ଜୋର୍ଡାନ- ୧/୩୨, ବିଷ୍ଣୋଇ- ୧/୧୨)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୭୬/୬ (ରାହୁଲ-୭୭, ଗେଲ-୨୪, ପୁରନ-୨୪, ହୁଦା-୨୩*, ବୁମ୍ରା-୩/୨୪, ରାହୁଲ ଚହର-୨/୩୩)।