ଚଣ୍ଡିଗଡ଼,୨୨ା୧୧: ପଞ୍ଜାବ ପୋଲିସ ଶନିବାର ଗ୍ୟାଙ୍ଗ୍ଷ୍ଟର-ଟେରର ମଡ୍ୟୁଲ୍ର ପର୍ଦ୍ଦାଫାଶ୍ କରିବା ସହ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗତ ୩ ସପ୍ତାହ ମଧ୍ୟରେ ଏଭଳି ୭ଟି ମଡ୍ୟୁଲ୍ ସମ୍ପର୍କରେ ଜଣାପଡିଛି। ଗିରଫ ବ୍ୟକ୍ତିମାନଙ୍କୁ ପାକିସ୍ତାନ, କାନାଡା ଏବଂ ୟୁରୋପରୁ ସଞ୍ଚାଳିତ ହେଉଥିବା ପରିଚାଳକମାନେ ଟାର୍ଗେଟ୍ କିଲିଂ କାର୍ଯ୍ୟ ଦେଇଥିଲେ। ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ହ୍ୟାଣ୍ଡ ଗ୍ରେନେଡ୍ ବ୍ୟବହାର ସମ୍ପର୍କରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଏହାର ହ୍ୟାଣ୍ଡଲରମାନଙ୍କ ଜରିଆରେ ୟୁଟ୍ୟୁବ୍ ଭିଡିଓ ସହାୟତାରେ ତାଲିମ ପ୍ରଦାନ କରୁଥିଲା। ଉକ୍ତ ଭିଡିଓଗୁଡ଼ିକୁ ପୋଲିସ ଜବତ କରିଛି। ସେଗୁଡ଼ିକ ଡାଉନ୍ଲୋଡ୍ କରାଯାଇ ହ୍ବାଟ୍ସଆପ୍ ଜରିଆରେ ଶେୟାର କରାଯାଉଥିଲା।
ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ଦୀପକ ଓରଫ ଦୀପୁ, ରାମଲାଲ୍, ପଞ୍ଜାବ ଫିରୋଜପୁରର ଶାମଶେର ସିଂ, ବିହାରର ହର୍ଷ ଓଝା ଏବଂ ହରିୟାଣାର ଅଜୟ। ଲୁଧିଆନାରେ ଆତଙ୍କବାଦୀ ଆକ୍ରମଣରେ ସମନ୍ବୟ ରଖିବା ଓ କାର୍ଯ୍ୟକାରୀ କରିବା ପାଇଁ ଦୀପୁ ଓ ରାମଲାଲ୍ ରାଜସ୍ଥାନରୁ ଆସିଥିଲେ। ପଞ୍ଜାବରେ ଗ୍ରେନେଡ୍ ଆକ୍ରମଣ ପାଇଁ ସେମାନଙ୍କୁ ପାକିସ୍ତାନୀ ପରିଚାଳକ ଯଶବୀର ଓରଫ ଚୌଧରୀ ଦାୟିତ୍ୱ ଦେଇଥିଲେ। ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ପରିଚାଳକମାନେ ଜାଣିଶୁଣି ଅନ୍ୟ ରାଜ୍ୟରୁ ଯୁବକମାନଙ୍କୁ ନିଯୁକ୍ତି ଦେଉଥିଲେ। ଏହା ପଛରେ ଥିବା ବିଦେଶୀ ଲିଙ୍କ୍ର ପର୍ଦ୍ଦାଫାଶ୍ ପାଇଁ ପଞ୍ଜାବ ପୋଲିସ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ସହଯୋଗ ଲୋଡ଼ିଛି।
ଅପରେଶନ ସିନ୍ଦୂର ପରେ ଟାର୍ଗେଟ କିଲିଂ ବଢ଼ିଛି। ଏଥିପାଇଁ ଗ୍ୟାଙ୍ଗ୍ଷ୍ଟର-ଆତଙ୍କବାଦୀ ମଡ୍ୟୁଲ୍କୁ ହିଟ୍ ଲିଷ୍ଟ ସମେତ ଅସ୍ତ୍ର ଓ ଲଜିଷ୍ଟିକ୍ ସହାୟତା ବିଦେଶରୁ ମିଳୁଛି। ପଞ୍ଜାବରେ ଶାନ୍ତି ଭଣ୍ଡୁର କରିବା ପାଇଁ ଆଇଏସ୍ଆଇ ଉଦ୍ୟମ ଚଳାଇଥିବାର ନିର୍ଭରଯୋଗ୍ୟ ପ୍ରମାଣ ରହିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।