Chris Jordan of Kings XI Punjab bowling during match 43 of season 13 of the Dream 11 Indian Premier League (IPL) between the Kings XI Punjab and the Sunrisers Hyderabad held at the Dubai International Cricket Stadium, Dubai in the United Arab Emirates on the 24th October 2020. Photo by: Saikat Das / Sportzpics for BCCI
ଦୁବାଇ,୨୫।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୪୩ତମ ମ୍ୟାଚ୍ରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ପରି ପଞ୍ଜାବ ୨୦ ଓଭରରେ ୭ ଉଇକେଟ ହରାଇ ୧୨୬ ରନ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୯.୫ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଛି। ଦଳ ତରଫରୁ ଅଧିନାୟକ ଡେଭିଡ୍ ଓ୍ବାର୍ନର ୩୫, ଜନି ବେୟାରଷ୍ଟୋ ୧୯, ଅବଦୁଲ ସମାଦ ୭, ମନୀଷ ପାଣ୍ଡେ ୧୫, ବିଜୟ ଶଙ୍କର ୨୬, ଜାସନ ହୋଲ୍ଡର ୫ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଅର୍ଶଦୀପ ସିଂ ଓ କ୍ରିସ୍ ଜୋର୍ଡାନ ୩ଟି ଲେଖାଏ, ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ପ୍ରୟାସ କରିଥିଲା। ପ୍ରଥମ ଉଇକେଟରେ ଅଧିନାୟକ ତଥା ଓପନର ଲୋକେଶ ରାହୁଲ ଓ ମନଦୀପ ସିଂ ୩୦ ବଲରୁ ୩୭ ରନ ସଂଗ୍ରହ କରିଥିଲେ। ତେବେ ମନଦୀପ ୧୪ ବଲରୁ ୧ ଚୌକା ସହ ୧୭ ରନକରି ସନ୍ଦୀପ ଶର୍ମାଙ୍କ ବଲ୍ରେ ରସିଦ୍ ଖାନ୍ଙ୍କୁ କ୍ୟାଚ୍ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଇନ୍ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ ଆଶନୁରୂପ ପ୍ରଦର୍ଶନ କରି ନ ପାରି ୨୦ ବଲରୁ ୨ ଚୌକା ଓ ୧ ଛକା ସହ ୨୦ ରନ କରି ଜାସନ ହୋଲ୍ଡରଙ୍କ ବଲ୍ରେ ଲଙ୍ଗ୍ ଅଫ୍ରେ ଡେଭିଡ୍ ଓ୍ବାର୍ନରଙ୍କୁ ସିଧା ସଳଖ କ୍ୟାଚ୍ ଦେଇଥିଲେ। ରାହୁଲ ୨୭ ବଲରୁ ୨ ଚୌକା ଓ ୧ ଛକା ସହ ୨୭ ରନକରି ଜମିଆସୁଥିବା ବେଳେ ରସିଦ ଖାନଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ବେଲ ୧୩ ବଲରୁ ୧୨ ରନ କରି ଲଙ୍ଗ୍ ଅନ୍ରେ ଓ୍ବାର୍ନରଙ୍କୁ କ୍ୟାଚ୍ ଦେଇ ସନ୍ଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। କ୍ରିସ୍ ଜୋର୍ଡାନ ୭, ମୁରୁଗାନ ଅଶ୍ୱିନ ୪ ରନକରି ଆଉଟ ହୋଇଥିଲେ । ନିକୋଲାସ ପୁରନ ୨୮ ବଲରୁ ୨ ଚୌକା ସହ ୩୨ରନ କରି ଅପରାଜିତ ରହିଥିଲେ। ବୋଲିଂରେ ହାଇଦ୍ରାବାଦ୍ ତରଫରୁ ସନ୍ଦୀପ, ହୋଲ୍ଡର ଓ ରସିଦ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୨୬/୭
(ପୁରନ- ୩୨*, ରାହୁଲ- ୨୭, ଗେଲ୍- ୨୦, ମନଦୀପ୍-୧୭, ମ୍ୟାକ୍ସଓ୍ବେଲ- ୧୨, ସନ୍ଦୀପ- ୨/୨୯, ହୋଲ୍ଡର- ୨/୨୭, ରସିଦ- ୨/୧୪ )।
ସନରାଇଜର୍ସ ହାଇଦ୍ରାବାଦ୍ ୧୯.୫ ଓଭରରେ ୧୧୪
(ଓ୍ବାର୍ନର- ୩୫, ବେୟାରଷ୍ଟୋ- ୧୯, ପାଣ୍ଡେ- ୧୫, ଶଙ୍କର- ୨୬, ସାମି- ୧/୩୪, ମୁରୁଗାନ ଅଶ୍ୱିନ- ୧/୨୭, ବିଷ୍ଣୋଇ- ୧/୧୩, ଜୋର୍ଡାନ- ୩/୧୭, ଅର୍ଶଦୀପ-୩/୨୩ )।