ନୂଆଦିଲ୍ଲୀ,୩୦।୫: IPL କ୍ୱାଲିଫାୟର-୧ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ପଞ୍ଜାବର ପ୍ରଦର୍ଶନ ନିରାଶାଜନକ ଥିଲା। ଏହାଦେଖି ଦଳର ସହ-ମାଲିକ ପ୍ରୀତି ଜିଣ୍ଟା ବହୁତ ନିରାଶ ହୋଇଥିଲେ। ତାଙ୍କର ପ୍ରତିକ୍ରିୟା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଟସ୍ ଜିତି ବେଙ୍ଗାଲୁରୁ ଅଧିନାୟକ ରଜତ ପଟିଦାର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ଦଳୀୟ ବୋଲର ସଠିକ୍ ପ୍ରମାଣ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୪.୧ ଓଭରରେ ମାତ୍ର ୧୦୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଆଇପିଏଲ୍ ପ୍ଲେଅଫ୍ ଇତିହାସରେ ଏହା ଚତୁର୍ଥ ସର୍ବନିମ୍ନ ଦଳଗତ ସ୍କୋର। ମାର୍କସ ଷ୍ଟୋଇନିସ (୨୬ ରନ, ୨ ଲେଖାଏ ଚୌକା ଓ ଛକା), ପ୍ରଭସିମରନ ସିଂ (୧୮ ରନ, ୨ ଚୌକା ଓ ୧ ଛକା) ଓ ଆଜମାତୁଲା ଓମାରଜାଇ (୧୮ ରନ୍, ୧ ଲେଖାଏଁ ଚୌକା ଓ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ। ଆର୍ସିବି ପକ୍ଷରୁ ଜୋଶ ହାଜେଲଉଡ୍ ଓ ସୁୟଶ ଶର୍ମା ୩ ଲେଖାଏ ଉଇକେଟ ନେଇଥିବା ବେଳେ ୟଶ ଦୟାଲ ଦୁଇଟି ଉଇକେଟ ହାତେଇ ଥିଲେ। ଜବାବରେ ଆର୍ସିବି ଆରମ୍ଭରୁ ବିରାଟ କୋହଲି (୧୨)ଙ୍କ ଉଇକେଟ ହରାଇଥିଲା। ହେଲେ ଅନ୍ୟତମ ଓପନର ଫିଲ୍ ସଲ୍ଟ ଓ ମୟଙ୍କ ଅଗ୍ରଓ୍ବାଲ ଦ୍ୱିତୀୟ ଉଇକେଟରେ ୫୪ ରନ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ମୟଙ୍କ (୧୯ ରନ, ୨ ଚୌକା ଓ ୧ ଛକା) ଆଉଟ୍ ହେବା ପରେ ସଲ୍ଟ ଓ ଅଧିନାୟକ ରଜତ ପଟିଦାର ଆବଶ୍ୟକୀୟ ରନ ସଂଗ୍ରହ କରିନେଇଥିଲେ। ସଲ୍ଟ ୨୭ ବଲରେ ୫୬ (୬ ଚୌକା ଓ ୩ ଛକା) ଓ ପଟିଦାର ୧୫ (୧ ଲେଖାଏ ଚୌକା ଓ ଛକା) ରନ କରି ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ କାଇଲ ଜେମିସନ ଓ ମୁଶିର ଖାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପଞ୍ଜାବ ଦ୍ୱାରା ପ୍ରଦତ୍ତ ୧୦୨ ରନର ଛୋଟିଆ ଟାର୍ଗେଟକୁ ଆର୍ସିବି ୧୦ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ସହ ଆର୍ସିବି ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି। ଆର୍ସିବି ଆଇପିଏଲ୍ ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ୨୦୦୯, ୨୦୧୧ ଓ ୨୦୧୬ରେ ଆର୍ସିବି ଫାଇନାଲରେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ପଞ୍ଜାବ ପାଖରେ ଏବେ ବି ଫାଇନାଲରେ ପହଞ୍ଚିବାର ସୁଯୋଗ ରହିଛି। ପଞ୍ଜାବ ଆସନ୍ତା ୧ ତାରିଖରେ ଅହମଦାବାଦରେ ଖେଳାଯିବାକୁଥିବା ଦ୍ୱିତୀୟ କ୍ୱାଲିଫାୟରରେ ଏଲିନେଟର ମ୍ୟାଚ୍ର ବିଜେତାକୁ ଭେଟିବ।
ଏହି ସିଜନରେ, ପ୍ରୀତି ଜିଣ୍ଟା ପ୍ରତ୍ୟେକ ମ୍ୟାଚରେ ବହୁତ ଖୁସି ଦେଖାଯାଉଥିଲେ କାରଣ ତାଙ୍କ ଦଳ ଚମତ୍କାର ପ୍ରଦର୍ଶନ କରୁଥିଲା। କିନ୍ତୁ କ୍ୱାଲିଫାୟର-୧ରେ, ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବା ଦଳର ପ୍ରଦର୍ଶନ ଏପରି ମନେ ହେଉ ନ ଥିଲା। କ୍ୟାମେରା ମ୍ୟାଚରେ ବାରମ୍ବାର ପ୍ରୀତିଙ୍କ ଉପରେ ପଡ଼ୁଥିଲା। ଏଥିରେ ତାଙ୍କର ନିରାଶା ସ୍ପଷ୍ଟ ଭାବରେ ଦେଖାଯାଉଥିଲା।