IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ପରାସ୍ତ କରିଛି। ୨୧୦ ରନର ବିଶାଳ ଲକ୍ଷ୍ୟକୁ ପଞ୍ଜାବ ମାତ୍ର ୧୮.୪ ଓଭରରେ ହାସଲ କରି ଏହି ରୋମାଞ୍ଚକର ମ୍ୟାଚ୍‌କୁ ୫ ୱିକେଟରେ ଜିତି ନେଇଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ୨୦୯ ରନର ଏକ ମଜବୁତ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ଯୁବ ବ୍ୟାଟର ଆୟୁଷ ୭୩ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିବମ ଦୁବେ ଅପରାଜିତ ୪୫ ରନ୍ ଏବଂ ସରଫରାଜ ଖାନ୍ ମାତ୍ର ୧୨ଟି ବଲ୍‌ରୁ ୩୨ ରନର ବିସ୍ଫୋରକ ବ୍ୟାଟିଂ କରି ଦଳକୁ ୨୦୦ ପାର୍ କରାଇଥିଲେ।

ପଞ୍ଜାବ ପକ୍ଷରୁ ବିଜୟକୁମାର ବୈଶାକ ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ଜାଭିୟର ବାର୍ଟଲେଟ୍, ମାର୍କୋ ୟାନସେନ୍ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।

୨୧୦ ରନର ପିଛା କରୁଥିବା ପଞ୍ଜାବ କିଙ୍ଗସର ଆରମ୍ଭ ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲା। ଓପନର ପ୍ରଭସିମରନ ସିଂ (୪୩ ରନ୍) ଏବଂ ପ୍ରିୟାଂଶ ଆର୍ଯ୍ୟ ମିଶି ୬୧ ରନର ପାର୍ଟନରସିପ୍ କରିଥିଲେ। ପ୍ରିୟାଂଶ ମାତ୍ର ୧୧ଟି ବଲ୍‌ରେ ୩୯ ରନ୍ ସଂଗ୍ରହ କରି ଦଳକୁ ଏକ ଦ୍ରୁତ ଆରମ୍ଭ ଦେଇଥିଲେ। ଏହାପରେ କୁପର କନଲି ୩୬ ରନର ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୨୯ଟି ବଲ୍‌ରୁ ୫୦ ରନ୍ (୪ ଚୌକା, ୩ ଛକା) କରି ଦଳକୁ ବିଜୟ ଦ୍ୱାରଦେଶରେ ପହଞ୍ଚାଇଥିଲେ।

ଏହି ବିଜୟ ସହ ପଞ୍ଜାବ କିଙ୍ଗସ ଆଇପିଏଲ୍ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଚେନ୍ନାଇର ଘରୋଇ ମଇଦାନ ‘ଚେପକ୍’ରେ ପଞ୍ଜାବ ଦ୍ୱିତୀୟ ଥର ପାଇଁ ୨୦୦ରୁ ଅଧିକ ରନର ଲକ୍ଷ୍ୟକୁ ସଫଳତାର ସହ ପିଛା କରିଛି। ଆଇପିଏଲ୍ ଇତିହାସରେ ପଞ୍ଜାବ ହେଉଛି ପ୍ରଥମ ଦଳ, ଯିଏ ଚେନ୍ନାଇ ବିପକ୍ଷରେ ତାଙ୍କରି ଘରେ ଦୁଇ ଦୁଇ ଥର ୨୦୦+ ରନ୍ ଚେଜ୍ କରିବାରେ ସଫଳ ହୋଇଛି। ଏହି ବିଜୟ ସହ ପଞ୍ଜାବ କିଙ୍ଗସ ଚଳିତ ସିଜନରେ ନିଜର ଦବଦବା ଜାରି ରଖିଛି।