Categories: Home Leftଖେଳ

ଓ୍ବାଙ୍ଖଡେରେ ଛକା ବର୍ଷା : ମ୍ୟାଚ୍‌ ନୁହେଁ ମନ ଜିତିଲେ ସାମସନ

ମୁମ୍ବାଇ, ୧୨ା୪- ଓ୍ବାଙ୍ଖଡେ ଷ୍ଟାଡିୟମ ଏବେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପାଲଟିଛି ସ୍ବର୍ଗ। ସୋମବାର ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଛକାର ବର୍ଷା। ମ୍ୟାଚ୍‌ରେ ମୋଟ ୨୪ ଛକା ମାରିଥିଲେ ଉଭୟ ଦଳର ବ୍ୟାଟ୍ସମ୍ୟାନ। ଭାଗ୍ୟ ବଳରେ ବୋଲର ଯାହା ଉଇକେଟ ପାଇଥିଲେ। ଏହି ମ୍ୟାଚ୍‌ରେ ଅଧିନାୟକ ଭାବେ ପଦାର୍ପଣ କରିଥିବା ସଞ୍ଜୁ ସାମସନ (୧୧୯) ଖେଳିଥିଲେ ବିସ୍ଫୋରକ ଶତକୀୟ ପାଳି। ହେଲେ ଜିତାଇ ପାରିଲେ ନାହିଁ ଦଳକୁ। ରାଜସ୍ଥାନ ରୟାଲ୍ସକୁ ୪ ରନ୍‌ରେ ହରାଇ ପଞ୍ଜାବ କିଙ୍ଗ୍ସ ବିଜୟ ସହ ଅଭିଯାନ ଆରମ୍ଭ କରିଛି।

ରାଜସ୍ଥାନ ରୟାଲ୍ସ ବୋଲରଙ୍କୁ ଆରମ୍ଭରୁ ପ୍ରହାର କରିଥିଲେ କିଙ୍ଗ୍ସ ପଞ୍ଜାବର ବ୍ୟାଟ୍ସମ୍ୟାନମାନେ। ୫୦ ବଲର ସମ୍ମୁଖୀନ ହୋଇଥିବା ଅଧିନାୟକ ଲୋକେଶ ରାହୁଲ ଖେଳିଥିଲେ ୯୧ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୭ ଚୌକା ଓ ୫ ଛକା। କେବଳ ଏହି ବ୍ୟାଟ୍ସମ୍ୟାନ ନୁହେଁ ଦୀପକ ହୁଡା (୬୪ ରନ୍‌, ୪ ଚୌକା ଓ ୬ ଛକା ) ଓ କ୍ରିସ୍‌ ଗେଲ (୪୦ ରନ୍‌, ୪ ଚୌକା ଓ ୨ ଛକା ) ମଧ୍ୟ ଛକା ଓ ଚୌକାର ବର୍ଷା କରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପୂରା ୨୦ ଓଭରରେ ୬ ଉଇକେଟ ହରାଇ ୨୨୧ ରନ୍‌ କରିଥିଲା। ଜବାବରେ ରାଜସ୍ଥାନକୁ ମିଳି ନ ଥିଲା ଆବଶ୍ୟକୀୟ ଆରମ୍ଭ। ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ ବେନ ଷ୍ଟୋକ୍ସ। ତାଙ୍କ ପରେ ମନନ ବୋହରା (୧୨), ଜୋସ ବଟଲର (୨୫) ଓ ଶିବମ ଦୁବେ (୨୩)ଙ୍କ ଉଇକେଟ ହରାଇଥିଲା ରାଜସ୍ଥାନ। କିନ୍ତୁ ଗୋଟିଏ ପଟେ ଛିଡ଼ା ହୋଇ ବଡ଼ ବଡ଼ ଶଟ୍‌ ଖେଳି ଚାଲିଥିଲେ ଅଧିନାୟକ ସଞ୍ଜୁ ସାମସନ। ତାଙ୍କ ସହ ରିଆନ ପରାଗ (୨୫) ମିଶି ୨୦ ବଲରେ ଯୋଡ଼ିଥିଲେ ୫୨ ରନ୍‌। ଏହାପରେ ଏକାକି ଖେଳିଥିଲେ ସାମସନ। କ୍ୟାରିୟରର ୩ୟ ଶତକ ପୂରଣ କରିଥିଲେ। ହେଲେ ଦଳକୁ ଜିତାଇବାକୁ ସକ୍ଷମ ହୋଇ ନ ଥିଲେ। ୬୩ ବଲ ଖେଳିଥିବା ସାମସନ ୧୨ ଚୌକା ଓ ୭ ଛକା ସହାୟତାରେ ୧୧୯ ରନ୍‌ର ପାଳି ଖେଳି ଆଉଟ୍‌ ହୋଇଥିଲେ। ବିଜୟୀ ଦଳ ପାଇଁ ଅର୍ଶଦୀପ ସିଂ ୩ ଓ ମହମ୍ମଦ ଶାମି ୨ ଉଇକେଟ ଅକ୍ତିଆର କରିଥିଲେ।