Categories: Home Leftଖେଳ

ବିଜୟଠାରୁ ଦୁଇ ରନ୍ ଦୂରରେ ଅଟକିଲା ପଞ୍ଜାବ, ହାଇଦ୍ରାବାଦର ସଂଘର୍ଷପୂର୍ଣ୍ଣ ବିଜୟ

ଚଣ୍ଡୀଗଡ,୯ା୪: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦ ୨ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସନରାଇଜର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୮୨ ରନ୍‌ କରିଥିଲା। ଜବାବରେ ପଞ୍ଜାବ ୨୦ ଓଭରରେ ୬ ଉଇକେଟ ହରାଇ ୧୮୦ ରନ୍‌ କରିଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ଟପ୍‌ ଅର୍ଡର କିନ୍ତୁ ପଞ୍ଜାବ ବୋଲରଙ୍କ ଆଗରେ ଫେଲ ମାରିଥିଲା। ଟ୍ରାଭିସ୍‌ ହେଡ୍‌(୨୧) ଓ ଅଭିଷେକ ଶର୍ମା(୧୬) ପ୍ରଥମ ଉଇକେଟରେ ୨୭ ରନ୍‌ ଯୋଡିଥିଲେ। ତେବେ ମଧ୍ୟକ୍ରମ ବ୍ୟାଟିଂ ବିଫଳତା କାରଣରୁ ଦଳ ୬୪ ରନ୍‌ରେ ୪ ଉଇକେଟ ହରାଇଥିଲା। ପ୍ରଥମ ଅର୍ଦ୍ଧଶତକ ହାସଲ କରି ନୀତୀଶ ରେଡ୍ଡୀ ୬୪ ରନ୍‌ର ଇନିଂସ ଖେଳିଥିଲେ। ୩୭ ବଲ୍‌ ଖେଳିଥିବା ନୀତୀଶ ୪ ଚୌକା ଓ ୫ ଛକା ମାରିଥିଲେ। ଅବଦୁଲ ସମଦ(୨୫)ଙ୍କ ସହ ମିଶି ସେ ପଞ୍ଚମ ଉଇକେଟରେ ୫୦ ରନ୍‌ ଯୋଡିଥିଲେ। ପଞ୍ଜାବ ପକ୍ଷରୁ ଅର୍ଶଦୀପ ୪, ସାମ୍‌ କୁରାନ୍‌ ଓ ହର୍ଷଲ ପଟେଲ ୨ଟି ଲେଖାଏ ଉଇକେଟ ନେଇଥିଲେ।

୧୮୩ ରନ୍‌ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୦ ରନ୍‌ରେ ୩ ଉଇକେଟ ହରାଇଥିଲା। ସାମ କୁରାନ ୨୯ ଓ ସିକନ୍ଦର ରାଜା ୨୮ ରନ୍‌ କରି ଇନିଂସ ସଜାଡିଥିଲେ। ଗତ ମ୍ୟାଚ୍‌ର ହିରୋ ଶଶାଙ୍କ ଓ ଆଶୁତୋଷ ପୁଣି ଥରେ କମାଣ ସମ୍ଭାଳିଥିଲେ। ଶଶାଙ୍କ ୨୫ ବଲ୍‌ ଖେଳି ୬ ଚୌକା ଓ ୧ ଛକା ସହ ୪୬ ରନ୍‌ କରିଥିଲେ। ଆଶୁତୋଷ ୧୫ ବଲ୍‌ ଖେଳି ୩ ଚୌକା ଓ ୨ ଛକା ସହ ୩୩ ରନ୍‌ କରିଥିଲେ। ଅନ୍ତିମ ଓଭରରେ ୨୯ ରନ୍‌ ଆବଶ୍ୟକ ଥିବା ବେଳେ ଉଭୟ ୨୭ ରନ୍‌ ସଂଗ୍ରହ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ୨, କୁମିନ୍ସ, ନଟରାଜନ, ନୀତୀଶ, ଉନାଡକଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।