ଶାହାଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ: ଏହି ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ,୯।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ସଂସଦ ଭବନରେ ମାନ ଶାହାଙ୍କୁ ଭେଟିବା ସହ ଅନେକ ପ୍ରସଙ୍ଗରେ ଦୁହେଁ ଆଲେଚନା କରିଥିଲେ। ପଞ୍ଜାବ ଏକ ସୀମାବର୍ତ୍ତୀ ରାଜ୍ୟ। ତେଣୁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଥିଲେ ବୋଲି ମାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଶାହାଙ୍କ ସହ ସାକ୍ଷାତକାର ବେଳେ ସୀମାରେ ବାଡ଼ ଲଗାଇବା, ସୀମାନ୍ତ ଗ୍ରାମରେ ଚାଷୀଙ୍କ ସମସ୍ୟା ଏବଂ ପଞ୍ଜାବ ପୋଲିସର ଆଧୁନିକୀକରଣ ସମ୍ପର୍କରେ ସେ ଆଲୋଚନା କରିଥିଲେ। ସୀମାରୁ ଆସୁଥିବା ଡ୍ରୋନ ଏବଂ ଡ୍ରଗ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କିନ୍ତୁ ପଞ୍ଜାବ ପୋଲିସକୁ ଅଧିକ ଆଧୁନିକ ସୁବିଧା ଦେବା ଆବଶ୍ୟକ ରହିଛି। ପୂର୍ବ ସରକାରଙ୍କ ଭୁଲ କାରଣରୁ କେନ୍ଦ୍ରରେ ଅଟକି ରହିଥିବା ଗ୍ରାମୀଣ ବିକାଶ ପାଣ୍ଠି ସମ୍ପର୍କରେ ସେ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବୋଲି ମାନ କହିଛନ୍ତି।