ଚଣ୍ଡିଗଡ଼,୩୦।୬: ଛକା ମାରିଲେ ତଳେ ପଡ଼ିଗଲେ। ସାଥୀ ଖେଳାଳି କିଛି ବୁଝିବା ଆଗରୁ ସମସ୍ତଙ୍କୁ କରିଦେଲେ ବାଏ ବଏ। ଖେଳପଡ଼ିଆରେ ସବୁଦିନ ପାଇଁ ଶୋଇପଡ଼ିଲେ ବ୍ୟାଟ୍ସମ୍ୟାନ।
ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପଞ୍ଜାବର ଫିରୋଜପୁରରେ । କ୍ରିକେଟ ମ୍ୟାଚ ସମୟରେ ଜଣେ ବ୍ୟାଟ୍ସମ୍ୟାନ ହୃଦଘାତର ଶିକାର ହୋଇ ଘଟଣାସ୍ଥଳରେ ଟଳିପଡ଼ିଛନ୍ତି। ଗୁରହର ସହାୟର ବାସିନ୍ଦା ହରଜିତ ସିଂହ ନାମକ ଏହି ଖେଳାଳି ହଠାତ୍ ଛକା ମାରିବା ପରେ ତଳେ ପଡ଼ିଗଲେ। ପ୍ରଥମେ ସାଥୀ ଖେଳାଳି ଭାବିଲେ ସେ ଖୁସି ହୋଇ ବୋଧେ ତଳେ ଗଡ଼ିଯାଉଛନ୍ତି। ମାତ୍ର କିଛି ସମୟ ପରେ ସେ ନ ଉଠିବାରୁ ସେମାନେ ଦୌଡିଯାଇ ଦେଖନ୍ତି ତ ତାଙ୍କ ଆଖିଆଗରେ ସବୁ ଶେଷ ହୋଇଯାଉଛି।
ତାଙ୍କୁ CPR ଦିଆଯାଇଥିଲା କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ।
ପଡିଆରେ ଉପସ୍ଥିତ ଖେଳାଳିମାନେ ତାଙ୍କୁ ବଞ୍ଚାଇବାକୁ ଦୌଡ଼ିଥିଲେ। ସେମାନେ ତାଙ୍କୁ CPR ମଧ୍ୟ ଦେଇଥିଲେ। (CPR) ହେଉଛି ଏକ ପଦ୍ଧତି ଯାହା ଦ୍ୱାରା ନିଃଶ୍ୱାସ ବନ୍ଦ ହେଲେ କାହାକୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଏ। ।
ସୂଚନା ଅନୁଯାୟୀ, ରବିବାର ସକାଳେ କ୍ରିକେଟ୍ ଖେଳୁଥିବା ସମୟରେ ହରଜିତ ସିଂହଙ୍କୁ ଛକା ମାରିବା ପରେ ହୃଦଘାତ ହୋଇଥିଲା। ଏହା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା। ଭିଡିଓରେ ଦେଖାଯାଉଛି ଯେ ହରଜିତ ସିଂହ ଧଳା ଏବଂ କଳା ଟି-ଶର୍ଟ ପିନ୍ଧିଛନ୍ତି। ବ୍ୟାଟିଂ କରୁଥିବା ସମୟରେ ସେ ଏକ ଲଙ୍ଗ ସିକ୍ସ ମାରିଥିଲେ ଏବଂ ତା’ପରେ ତଳେ ପଡ଼ିଥିଲେ।
ସାଥୀ ଖେଳାଳି କହିଥିଲେ,ହରଜିତ ସିଂହ ସ୍ଥାନୀୟ କ୍ଲବ ଦଳ ପାଇଁ ଖେଳୁଥିଲେ। ସେ ଅର୍ଦ୍ଧଶତକ ହାସଲ କରିବାରୁ ମାତ୍ର ଗୋଟିଏ ରନ ବାକି ଥିଲା। ସେ ଏକ ଛକା ମାରିଥିଲେ ଏବଂ ହଠାତ୍ ପିଚ ଉପରେ ପଡ଼ିଯାଇଥିଲେ।
ହରଜିତ ସିଂହ ବୃତ୍ତିରେ ଜଣେ ବଢ଼େଇ ଥିଲେ। ତାଙ୍କର ଜୀବନଶୈଳୀ ବହୁତ ସକ୍ରିୟ ଥିଲା। ସେ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ। ସେ ବିବାହିତ ଥିଲେ ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି।